Latest Odisha News

BREAKING NEWS

ମୌସୁମୀ ପୂର୍ବରୁ ମୁକୁଳା ଡ୍ରେନ କାମ ଶେଷ କରିବାକୁ ଭୁବନେଶ୍ୱର ମେୟରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ସୁଲୋଚନା ଦାସ ସୋମବାର ବର୍ଷା ଋତୁ ପୂର୍ବରୁ ଡ୍ରେନ୍ ନିର୍ମାଣ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଅଳ୍ପ ଦିନ ପରେ ରାଜ୍ୟରେ ମୌସୁମୀ ବର୍ଷା ଛୁଇଁବ। ଏହାପରେ ବର୍ଷା ଋତୁ ଆରମ୍ଭ ହେବ। ତାପୁର୍ବରୁ ମେୟର ସମସ୍ତ ଡ୍ରେନ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ଷା ଋତୁକୁ ଦୃଷ୍ଟିରେ ରଖି ସୋମବାର ବିଏମସି କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୬୭ଟି ଓ୍ୱାର୍ଡର କର୍ପୋରେଟର, ଇଞ୍ଜିନିୟରିଂ ବିଭାଗ, ଆର ଆଣ୍ଡ ବି ବିଭାଗର ଅଧିକାରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ସାମିଲ ହୋଇଥିଲେ। ବୈଠକ ପରେ ସୁଲୋଚନା ଦାସ ସୂଚନା ଦେଇଥିଲେ ଯେ ଖୋଲା ଡ୍ରେନ୍ ନିକଟରେ ବ୍ୟାରିକେଡ୍ ନିର୍ମାଣ କରିବା ସହ ସହରର ସମସ୍ତ ମୁଖ୍ୟ ଡ୍ରେନର ଡି-ସିଲ୍ଟିଂ କାମ ସପ୍ତାହକ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜୁନ୍ ୨୫ ତାରିଖ ସୁଦ୍ଧା ସମସ୍ତ ଫିଡର ଡ୍ରେନର ବିଶୋଧନ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁଲୋଚନା ଦାସ ସୂଚନା ଦେଇଛନ୍ତି କର୍ପୋରେଟରମାନେ ନିଜ ନିଜ ଓ୍ୱାର୍ଡରେ ନିର୍ମାଣଧୀନ ପ୍ରକଳ୍ପ ଗୁଡିକର କାମ କିଭଳି ମୌସୁମୀ ପୂର୍ବରୁ ଶେଷ ହେବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ବର୍ଷା ଋତୁ ସମୟରେ ରାଜଧାନୀରେ ଅଳ୍ପ ବର୍ଷାରେ ମଧ୍ୟ ରାସ୍ତା ଘାଟରେ ପାଣି ଜମିବା ସହିତ ନାଳରେ ଉଛୁଳା ପାଣି ନଦୀର ଭ୍ରମ ସୃଷ୍ଟି କରିଥାଏ। ସେହିପରି ନୟାପଲ୍ଲା ଇସ୍କନ ମନ୍ଦିର ଆଗରେ ପ୍ରତିବର୍ଷା ଦେଖାଦେଉଥିବା ସ୍ଥିତି କାହାକୁ ଅଛପା ନାହିଁ। କିନ୍ତୁ ବିଭିନ୍ନ ସମୟରେ ମୁକୁଳା ଡ୍ରେନ ଅନେକଙ୍କ ଜୀବନ ନେଇଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି ବିଏମସିକୁ। ତେଣୁ ମେୟର ଏଥର ଆଗୁଆ ପଦକ୍ଷେପ ନେବାକୁ ଯଦିଓ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ବର୍ଷା ଋତୁ ଆରମ୍ଭ ହେବା ପରେ ନିର୍ଦ୍ଦେଶନାମା କେତେଦୂର କାର୍ଯ୍ୟକାରୀ ହୋଇଛି ଜଣାପଡ଼ିବ।

Comments are closed.