ଓଡ଼ିଶା ସମ୍ବାଦ ବ୍ୟୁରୋ: ଟେକ୍ନୋଲୋଜି ଦୁନିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)ର ବ୍ୟବହାର ବହୁମାତ୍ରାରେ କରାଯାଉଛି। ଏହା ଭବିଷ୍ୟତରେ ଏକ ବଡ଼ ସମ୍ଭାବନା ଭାବରେ ଦେଖାଯାଉଛି। ଯେପରି ଇଣ୍ଟରନେଟ୍ ସମଗ୍ର ବିଶ୍ୱକୁ ବଦଳାଇଥିଲା, ଠିକ୍ ସେହିପରି ଏଆଇ ମଧ୍ୟ ସମଗ୍ର ବିଶ୍ୱକୁ ବଦଳାଇ ଦେବ। ବର୍ତ୍ତମାନ ଏଆଇର ଚାହିଦା ଦ୍ରୁତ ଗତିରେ ବଢୁଛି। ଅର୍ଥାତ୍ ଏଆଇର ଲୋକପ୍ରିୟତା ବୃଦ୍ଧି ପାଇଛି। ଅଧିକାଂଶ ଲୋକେ ଏଆଇରେ ଆଗ୍ରହ ଦେଖାଉଛନ୍ତି। କିନ୍ତୁ ପ୍ରତ୍ୟେକ ନୂତନ ପ୍ରଯୁକ୍ତିବିଦ୍ୟାର ଲାଭ ଏବଂ କ୍ଷତି ରହିଛି। ଏଆଇ ଯେତେ ବୃଦ୍ଧି ପାଉଛି ସମାଜରେ ଠକେଇ ଘଟଣା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।
କହିବାକୁ ଗଲେ ସାଇବର କ୍ରିମିନାଲଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରୂପେ ଏକ ମ୍ୟାଜିକ ମିଳିଯାଇଛି। ସାଇବର ଅପରାଧୀମାନେ ଅତ୍ୟଧିକ ଶକ୍ତିଶାଳୀ ହୋଇଯାଇଛନ୍ତି । ଏଆଇ ବ୍ୟବହାର କରି ନୂଆ ଉପାୟରେ ଲୋକଙ୍କୁ ଠକାଉଛନ୍ତି ଏହି ସାଇବର ଅପରାଧୀ। ଏହି ଏଆଇକୁ ବ୍ୟବହାର କରି ଅପରାଧୀମାନେ ଗ୍ରାହକଙ୍କ ନିକଟରେ ଭଏସ କଲ କରି ଠକୁଛନ୍ତି।
ଆମେରିକାର ଫେଡେରାଲ ବାଣିଜ୍ୟ ଆୟୋଗର ସଭାପତି ଲୀନା ଖାନ କହିଛନ୍ତି ଯେ ଅପରାଧକୁ ବଢାଇବା ପାଇଁ ଏଆଇ ବ୍ୟବହାର କରାଯାଉଛି। ବର୍ତ୍ତମାନ ଏହା ଦେଖିବାକୁ ପଡିବ ଯେ ସରକାରୀ ଏଜେନ୍ସିଗୁଡ଼ିକ ଏଆଇ ସହ ଜଡିତ ଅପରାଧ ସହ କିପରି ମୁକାବିଲା କରନ୍ତି। ଦେଖିବାକୁ ଗଲେ ଏଆଇ ସାଇବର ଅପରାଧୀଙ୍କ ପାଇଁ ଠକାମିର ଏକ ନୂଆ ଉପାୟ ଖୋଲିଛି। ନିକଟରେ ଆମେରିକାରେ ଏଆଇ ବ୍ୟବହାର କରି ନକଲି ଭଏସ କଲ ଜରିଆରେ ଅନେକ ଲୋକଙ୍କୁ ଧମକ ଦେଇ ଟଙ୍କା ମଗାଯାଇଛି। ଏହିପରି ଭାବେ ଅନେକ ଅପରାଧ ଘଟିଚାଲିଛି।
ଏଆଇ ଆଧାରିତ ଭଏସ୍ କ୍ଲୋନିଂ ଉପକରଣଗୁଡ଼ିକ ଇଣ୍ଟରନେଟରେ ସହଜରେ ଉପଲବ୍ଧ। ଏଥିମଧ୍ୟରୁ ଅଧିକାଂଶ ମାଗଣା, ତେଣୁ ଯେକୌଣସି ବ୍ୟକ୍ତିଙ୍କ ପ୍ରକୃତ ସ୍ୱର ପ୍ରସ୍ତୁତି ଏଆଇ ମାଧ୍ୟମରେ କରାଯାଇପାରିବ। ଏକ ନକଲି ସ୍ୱର ସୃଷ୍ଟି କରିବାକୁ ସ୍କାମରମାନେ ଏକ ଛୋଟ ନମୁନା ଆବଶ୍ୟକ କରନ୍ତି। ଯଦି କେହି ଆପଣଙ୍କୁ ଏହିପରି କଲ କରନ୍ତି ତେବେ, ଆପଣମାନେ ଏହାର ବାସ୍ତବତା ଜାଣି ସତର୍କ ହୋଇଯାଆନ୍ତୁ।
Comments are closed.