ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ପକ୍ଷରୁ ପରିବା ଓ ଫଳ ବ୍ୟବସାୟୀଙ୍କ ଦୈନନ୍ଦିନ କାମରେ ସହାୟକ ହେବା ପାଇଁ ଏକ ଇ-ଟ୍ରଲି ତିଆରି କରାଯାଇଛି। ଏହି ନବସୃଜନର ଉଦ୍ଦେଶ୍ୟ ହେଉଛି ସେହି ଦୋକାନୀମାନଙ୍କ ପାଇଁ ଯେଉଁମାନେ ରାସ୍ତା କଡରେ କିମ୍ବା ଠେଲାରେ ଯାଇ ପରିବା ସମେତ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି। ଜିନିଷ ନେବା ଆଣିବା କରିବା ସହିତ ପରିବହନ ବ୍ୟବସ୍ଥାକୁ ସରଳ ଏବଂ ଶୃଙ୍ଖଳିତ କରିବା ଦିଗରେ ଏହିପରି ଏକ ପରିବେଶ ସୁରକ୍ଷିତ ଇ-ଟ୍ରଲି ତିଆରି ହୋଇଛି।
ଏହି ଇ-ଟ୍ରଲିରେ ଡିଜିଟାଲ୍ ଓଜନ ମେସିନ୍ ସହିତ ୬ରୁ ୭ଟି ପ୍ଲାଷ୍ଟିକ୍ କ୍ରେଟ୍ ଉତ୍ପାଦକୁ ଆରାମରେ ରଖାଯାଇପାରିବ। ଏହି ଶସ୍ତା ବ୍ୟାଟେରୀ ଚାଳିତ ଯାନ ଧୂଆଁ ମୁକ୍ତ ଏବଂ ସର୍ବାଧିକ ୩୦୦ କିଲୋଗ୍ରାମ ଭାର ବହନ କରିବାର କ୍ଷମତା ରଖିଥାଏ। ଫୁଲ୍ ଚାର୍ଜ ହେଲେ ଏହା ୫୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ।
ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆଇଟିଆଇ ଓ ସ୍ଥାନୀୟ ଜିଲ୍ଲା ପରିଷଦଙ୍କ ସକ୍ରିୟ ସହଯୋଗରେ ଏହିପରି ଏକ ନୂଆ ଟ୍ରଲି ତଆରି ହୋଇଛି। ଆଇଟିଆଇର ପ୍ରିନସିପାଲ ଡ. ରଜତ କୁମାର ପାଣିଗ୍ରାହୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଇ-ଟ୍ରଲି ମୁଖ୍ୟତଃ ମହିଳା ବିକ୍ରେତାମାନଙ୍କୁ ସେବା ଯୋଗାଇବ, ଯେଉଁମାନେ ପ୍ରାୟତଃ ପରିବା ଏବଂ ଘରକରଣା ସାମଗ୍ରୀ ନେବାବେଳେ ଅଧିକ ଦୂରତା ଅତିକ୍ରମ କରିଥାନ୍ତି।
ଡ. ପାଣିଗ୍ରାହୀ କହିଥିଲେ, “ଇ-ଟ୍ରଲିକୁ ନୂଆ ଜ୍ଞାନକୌଶଳର ଉପଯୋଗ କରି ପ୍ରସ୍ତୁତ କରାଯାଇଛି। ଯାହା ସାଧାରଣ ପରିବହନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏହା ଏକ ସ୍ଥାୟୀ ଏବଂ ପରିବେଶ ଅନୁକୂଳ ବିକଳ୍ପ ଉପସ୍ଥାପନ କରୁଛି ଯାହା ସହରାଞ୍ଚଳରେ ଅଙ୍ଗାରକାମ୍ଳକୁ ହ୍ରାସ କରିବାରେ ଯୋଗଦାନ ରଖିବ। ଟେକ୍ନୋଲୋଜି ଯେତିକି ଆଗକୁ ବଢ଼ୁଛି, ଇ-ଟ୍ରଲି ଆଗାମୀ ବର୍ଷଗୁଡ଼ିକରେ ଲୋକପ୍ରିୟତା ହାସଲ କରିବାକୁ ଯାଉଛି।
ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିସନର ଆଶୀର୍ବାଦ ପରିଡ଼ାଙ୍କ ସମେତ ଆଇଟିଆଇ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଇ-ଟ୍ରଲିର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏକ ଅତ୍ୟନ୍ତ ଲାଭଦାୟକ ଉତ୍ପାଦର ପରିକଳ୍ପନା କରି ଆଶୀର୍ବାଦ ପରିଡା ଆଇଟିଆଇ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରି କହିଥିଲେ ଯେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଜିଲ୍ଲା ପରିଷଦ ଏହି ଇ-ଟ୍ରଲିଗୁଡ଼ିକୁ ଗାଁ ଗୁଡିକରେ ବଣ୍ଟନ କରିବାର ଯୋଜନା ରଖିଛନ୍ତି।
ଆଇଟିଆଇର ଇଲେକ୍ଟ୍ରିକାଲ ଇନଷ୍ଟ୍ରକ୍ଟର ତଥା ଇ-ଟ୍ରଲି ପଛର ମାଷ୍ଟରମାଇଣ୍ଡ ହୃଷିକେଶ କୋଠିଆ କହିଥିଲେ ଯେ ଏହି ଗାଡିରେ ୪୮ ଭୋଲ୍ଟ ଡିସି ୭ଏଏଚ ବ୍ୟାଟେରୀ ବ୍ୟବହାର କରାଯାଇଛି। ଜନସାଧାରଣଙ୍କୁ ଏଭଳି ଗାଡ଼ି ଯୋଗାଇ ଦେବା ଆମ ପ୍ରିନ୍ସିପାଲଙ୍କ ଲକ୍ଷ୍ୟ ଥିଲା। ଏହାର ଡିଜାଇନ୍ ୩୦ ଏଏଚ୍ ଯାଏ ବ୍ୟାଟେରୀ ପରିବର୍ତ୍ତନ ପାଇଁ ଅନୁମତି ଦେଇଥାଏ। ଇଲେକ୍ଟ୍ରିକାଲ, ଓ୍ୱେଲ୍ଡିଂ ଏବଂ ପେଣ୍ଟିଂ ବ୍ୟବସାୟର ଛାତ୍ରଛାତ୍ରୀମାନେ ଏହି ଇ-ଟ୍ରଲି ଆରମ୍ଭରୁ ଏକ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବା ଯାଏ ଏହାକୁ ବିକଶିତ କରିବାରେ ସାମିଲ ହୋଇଛନ୍ତି।
ପାଇଲଟ୍ ପ୍ରକଳ୍ପ ଭାବେ ବାରମ୍ବାର ଡିଜାଇନ୍ ପରିବର୍ତ୍ତନ ଯୋଗୁଁ ଅତିରିକ୍ତ ସମୟର ଆବଶ୍ୟକତା ଥିଲା। ତେବେ ଭବିଷ୍ୟତରେ ଇ-ଟ୍ରଲି ଉତ୍ପାଦନ ଅଧିକ ଦକ୍ଷ ହେବ ବୋଲି କୋଠିଆ ପ୍ରତିଶ୍ରୁତି ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ଇଲେକ୍ଟ୍ରିକାଲ୍, ଓ୍ୱେଲ୍ଡିଂ, ଏବଂ ପେଣ୍ଟିଂ ଟ୍ରେଡର ଦକ୍ଷ ଥିବା ମାତ୍ର ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କ ଏକ ଟିମ୍ ମାତ୍ର ଦୁଇ ଦିନରେ ଗୋଟିଏ ଇ-ଟ୍ରଲିକୁ ଏକାଠି କରିପାରିବେ।
ଇ-ଟ୍ରଲିର ମୂଲ୍ୟ ପାଖାପାଖି ୩୦ ହଜାର ଟଙ୍କା। ଏଥିରେ ଲୁହା ଫ୍ରେମ୍ ଏବଂ ତିନି ଚକ ପାଇଁ ୧୫ ହଜାର ଟଙ୍କା ଏବଂ ବ୍ୟାଟେରୀ, ମୋଟର, ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ପାଇଁ ଅତିରିକ୍ତ ୧୫ ହଜାର ଟଙ୍କା ରହିଛି। କୋଠିଆ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନର କାଠ କିମ୍ବା ଲୁହା ଟ୍ରଲି ରିକ୍ସା ସହିତ ଏହି ଯନ୍ତ୍ରାଂଶଗୁଡ଼ିକୁ ଯୋଡ଼ାଯାଇପାରିବ।
Comments are closed.