ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିଠୁ ସମୁଦ୍ର ଓ ନଦୀ ମୁହାଣରେ ମାଛ ଧରାକୁ ଅନୁମତି। ପ୍ରାୟ ୬୧ ଦିନ ହେବ ମାଛଧରା ଉପରେ ଜାରି ରହିଥିଲା କଟକଣା। ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୪ ଯାଏଁ ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁଁ ପ୍ରତି ବର୍ଷ ମୌସୁମି ଆସିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ କରନ୍ତି।
ଚଳିତ ବର୍ଷ ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ଉପରେ କଟକଣା ଲାଗୁ କରାଯାଇଥିଲା। ତେବେ ସରକାରଙ୍କ ଏହି କଟକଣାରେ ପରିବର୍ତ୍ତନ ଦାବି କରି ମତ୍ସ୍ୟଜୀବୀମାନେ ଦୀର୍ଘବର୍ଷ ହେଲା ପ୍ରତିବାଦ କରିଆସୁଥିଲେ। ଏନେଇ ଭୁବନେଶ୍ୱରଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଠାରେ ମତ୍ସ୍ୟଜୀବୀମାନେ ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରିଥିଲେ। ଆଲୋଚନାରେ କହିଥିଲେ ଯେ ଯେଉଁ ଦୁଇମାସ କଟକଣା ଲାଗୁ ହୁଏ ସେହି ମାସରେ ମତ୍ସଜୀବୀଙ୍କ ରୋଜଗାର ବନ୍ଦ ଥାଏ।
ତେଣୁ ଏହି ଦୁଇମାସ ମତ୍ସଜୀବୀଙ୍କୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ମତ୍ସଜୀବୀ ସଂଘ ଦାବି କରିଥିଲେ। ସେହିପରି ମତ୍ସ୍ୟଜୀବୀଙ୍କ କହିବା କଥା ହେଲା ମୌସୁମୀ ଆସିବା ପୂର୍ବରୁ ମାଛମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଯାଏ। ମାଛମାନେ ଏହି ସମୟରେ ଅଣ୍ଡା ଦିଅନ୍ତି। ମାଛ ବଢ଼ିବାକୁ ୩ ରୁ ୪ ମାସ ଲାଗିଥାଏ। ଏହା ପୂର୍ବରୁ କଟକଣା ଶେଷ ହୋଇଯାଉଥିବାରୁ ମାଛର ଆକାର ବହୁତ ଛୋଟ ଥାଏ। ଫଳରେ ମତ୍ସଜୀବୀ ବଡ଼ ମାଛ ବଦଳରେ ଛୋଟ ମାଛ ଆଣିଥାନ୍ତି ଏବଂ ମାଛର ଉତ୍ପାଦନ ମଧ୍ୟ କମ ହୋଇଥାଏ। ଆଉ ଏଥିଲାଗି ଟ୍ରଲର ମାଲିକ, ମତ୍ସଜୀବୀ, ବ୍ୟବସାୟୀ କ୍ଷତି ସହିଥାନ୍ତି।
Comments are closed.