Latest Odisha News

୩୦ ବର୍ଷ ପୂର୍ବେ ସମୁଦ୍ରକୁ ଫିଙ୍ଗାଯାଇଥବା ବୋତଲକୁ ପାଇଲେ ମହିଳା, ତା ଭିତରୁ ମିଳିଲା ଅନେକ ତଥ୍ୟ

କାନାଡ଼ା: ପ୍ରାୟତଃ ଆମ ଜୀବନରେ ଏପରି ଘଟଣା ଘଟେ, ଯାହା ବିଷୟରେ କେହି କେବେ ଆଗରୁ ଭାବି ନ ଥିବେ । କାନାଡାର ଜଣେ ମହିଳାଙ୍କ ସହ ସମାନ ଘଟଣା ଘଟିଛି । ଯିଏ ହଠାତ୍ ଏକ ପୁରୁଣା ବୋତଲକୁ ସମୁଦ୍ରରେ ଭାସୁଥିବାର ଦେଖି ଆଣିଲେ ଓ ଏହା ଭିତରେ ଥିବା ଏକ ଚିଠି ପଢିବା ପରେ ସେ ଅନେକ ତଥ୍ୟ ପାଇଥିଲେ ।

୩୪ ବର୍ଷୀୟା ମହିଳା ଟ୍ରୁଡି ଶେଟଲର ମ୍ୟାକକିନ୍ନ୍ କାନାଡାର କ୍ୟୁବେକ୍‌ରେ ରୁହନ୍ତି । ଦିନେ ସେ ସମୁଦ୍ର କୂଳରେ ବୁଲୁଥିଲେ । ଏହି ସମୟରେ ସମୁଦ୍ରରେ ଏକ ବୋତଲ ଭାସି ଆସିଥିଲା । ଏହାକୁ ଟ୍ରୁଡ଼ି ଉଠାଇ ଆଣି ଖୋଲିଥିଲେ । ଆଉ ତାହା ଭିତରେ ଯାହା ଦେଖିଲେ ବିଶ୍ୱାସ କରିପାରିଲେ ନାହିଁ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବୋତଲ ଭିତରେ ଏକ ଚିଠି ଥିଲା ଯେଉଁଥିରେ ସେହି ବୋତଲ ସହିତ ଜଡିତ ରହସ୍ୟ ଲୁଚି ରହିଥିଲା । ଟ୍ରୁଡ଼ି ସୋସିଆଲ ମିଡ଼ିଆରେ ଘଟଣା ସମ୍ପର୍କରେ ସେୟାର କରିଛନ୍ତି ।

ଟ୍ରୁଡ଼ି କହିଛନ୍ତି ଯେ, ନିକଟରେ ମୁଁ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିଲି । ବୁଲୁଥିବା ବେଳେ ସମୁଦ୍ରରୁ ଏକ ଲେଖା ଥିବା ଏକ ପ୍ଲାଷ୍ଟିକ୍ ବୋତଲ ପାଇଲି । ଆଉ ବୋତଲ ଖୋଲି ସେଥିରେ ଥିବା କାଗଜରେ କ’ଣ ଲେଖାଯାଇଛି ପଢିବାକୁ ଚେଷ୍ଟା କଲି । ସେଥିରେ ଲେଖାଥିଲା ଯେ, ଫକ୍ସ ପଏଣ୍ଟଠାରୁ ୧୦ ମାଇଲ ଦୂରରେ ଥିବା ପୋର୍ଟ ଆକ୍ସ ଚଏସ୍‌ରେ ଏହାକୁ ପାଣିରେ ଫିଙ୍ଗା ଯାଇଛି । ଏହି ସମୟରେ ପାଗ ଭଲ ଥିଲା, ପବନ ନ ଥିଲା । ଶେଷରେ ୨୯ ମେ ୧୯୮୯ ତାରିଖ ଉଲ୍ଲେଖ ଥିଲା । ଏହି ବୋତଲ ୩୦ ବର୍ଷ ୧ ସପ୍ତାହ ପାଣିରେ ରହିଥିଲା । ଏହି ବୋତଲକୁ ପାଣିରେ ଫିଙ୍ଗିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜାଣିବାକୁ ମୋର ଆଗ୍ରହ ବଢିଲା । ଏହାପରେ ମୁଁ ନିୟମିତ ସମୁଦ୍ର କୂଳକୁ ଗଲି । କାଳେ କେଉଁଦିନ ବୋତଲର ରହସ୍ୟ ପାଇଯିବି । ଏନେଇ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ପାଇଲି ।

ଟ୍ରୁଡ଼ି ଆହୁରି କହିଛନ୍ତି ଯେ, ଆମେ ବୋତଲ ଫିଙ୍ଗିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଛୁ । ସେ ପୋର୍ଟ ଆକ୍ସ ଚୋଏକ୍ସ ଏନ୍‌ଏଫଏଲଡ଼ିର ବାସିନ୍ଦା ଗିଲବର୍ଟ ହାମଲିନ୍ ଥିଲେ । ଦୁର୍ଭାଗ୍ୟବଶତଃ ହାମଲିନ୍‌ଙ୍କର ୨ ବର୍ଷ ପୂର୍ବେ ଦେହାନ୍ତ ହୋଇଯାଇଛି । ତାଙ୍କ ପୁଅ ଏ ସମ୍ପର୍କରେ ଜାଣିବା ପରେ ଆମ ପାଖରେ ପହଞ୍ଚି ଏହା ତାଙ୍କ ପିତାଙ୍କ ବୋତଲ ବୋଲି ନିଶ୍ଚିତ କରିଲେ । ଏହି ପୋଷ୍ଟକୁ ସେୟାର କରିବା ଏବଂ ସମୁଦ୍ରରେ ପଡ଼ିଥିବା ବୋତଲରେ ବାପାଙ୍କ ସ୍ମୃତିକୁ ଘରକୁ ଆଣିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ଏହା ଜାଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ, ଏତେ ବର୍ଷ ପରେ ମଧ୍ୟ ବୋତଲ କିପରି ସୁରକ୍ଷିତ ।

Comments are closed.