Latest Odisha News

ରାଜଧାନୀରେ ଡେଙ୍ଗୁ ଆତଙ୍କ, ନୟାପଲ୍ଲୀ ଓ ପୋଖରୀପୁଟ ପାଲଟିଛି ହଟସ୍ପଟ

ଭୁବନେଶ୍ୱର: ବର୍ଷା ଆରମ୍ଭ ହେଉଣୁ ରାଜଧାନୀରେ ଦେଖାଦେଲାଣି ଡେଙ୍ଗୁ ଆତଙ୍କ। ରାଜଧାନୀ ସ୍ଥିତ ନୟାପଲ୍ଲୀ ଓ ପୋଖରୀପୁଟ ଏବେ ଡେଙ୍ଗୁର ହଟସ୍ପଟ ପାଲଟିଥିବା କିଛି ଦିନ ଆକ୍ରାନ୍ତଙ୍କ ଠିକଣା ଦେଖିବା ପରେ ଅନୁମାନ ହେଉଛି। ଗତ ସପ୍ତାହରେ ଭୁବନେଶ୍ୱରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜଧାନୀରେ ଦୈନିକ ପ୍ରାୟ ଛଅଟି ଆକ୍ରାନ୍ତ ଚିହ୍ନଟ ହେଉଥିବା ନଜିର ରହିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୟାପଲ୍ଲୀରେ ସର୍ବାଧିକ ୨୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ପୋଖରୀପୁଟରେ ଛଅ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୟୁନିଟ୍-୯, ସହୀଦ ନଗର, ମଞ୍ଚେଶ୍ୱର, ଡମଣା, ଶୈଳଶ୍ରୀ ବିହାର ଓ ନୀଳାଦ୍ରି ବିହାରରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଅଧିକାଂଶ ରୋଗୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ମଶାଙ୍କ ଉପଦ୍ରବ ପାଇଁ ସହରର ତଳିଆ ଅଞ୍ଚଳରେ ପାଣି ଜମି ରହୁଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସଂକ୍ରମଣକୁ ରୋକିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁ ନ ଥିବାରୁ ମଧ୍ୟ ସେମାନେ ସମାଲୋଚନା କରିଛନ୍ତି।

ବିଏମସି ପକ୍ଷରୁ କେତେକ ସ୍ଥାନରେ ଧୂଆଁ ଦେବା ସହ କୀଟନାଶକ ସିଞ୍ଚନ କରାଯାଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ବିଏମସି ପକ୍ଷରୁ ଅଧିକ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ଜଳବନ୍ଦୀ ଅଞ୍ଚଳକୁ ସଫା କରିବା ସହ ମଶା କାମୁଡ଼ାରୁ କିପରି ରକ୍ଷା କରାଯାଇପାରିବ ସେ ନେଇ ଜନସାଧାରଣଙ୍କୁ ସଚେତନ କରିବାକୁ ସେମାନେ ଦାବି କରିଛନ୍ତି।

Comments are closed.