Latest Odisha News

କେନ୍ଦ୍ରର ଚିଠି ପରେ ଫାଇଭ ଟି ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଶାଣିତ କଲା ବିଜେପି

ଭୁବନେଶ୍ୱର: ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ଓଡ଼ିଶାର ଜଣେ ଆଇଏଏସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଭାରତୀୟ ଜନତା ପାର୍ଟି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ଥିବା ଏହି ଅଧିକାରୀ ନିଜ କ୍ଷମତାକୁ ଅତିକ୍ରମ କରି ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି।

ଅଧିକାରୀଙ୍କୁ ନିଲମ୍ବନ କିମ୍ବା ବହିଷ୍କାର କରିବାକୁ ବିଜେପି ଦାବି କରିବା ସହ କାର୍ଯ୍ୟାନୁଷ୍ଠାନ ନହେଲେ କେନ୍ଦ୍ର ନିକଟରେ ଫେରାଦ ହେବ ବୋଲି ଆହୁରି ଶାଣିତ ସ୍ବରରେ ଚେତାବନୀ ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ନିର୍ବାଚିତ ପ୍ରତିନିଧିଙ୍କ ଭୂମିକାକୁ ଖୋଲାଖୋଲି ଅଣଦେଖା କରି ଅଧିକାରୀ ଜଣକ ‘ମୁଖ୍ୟମନ୍ତ୍ରୀଙ୍କ କ୍ଷମତାକୁ ଉପଭୋଗ’ କରିବାକୁ ଚେଷ୍ଟା କରୁଥିବା ବିଜେପି ଅଭିଯୋଗ କରିଛି।

ଏହି ଅଧିକାରୀଙ୍କ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଅନାଧିକୃତ ଗସ୍ତ କରିବା, ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରିବା, ନିଜ ପଦବୀକୁ ବ୍ୟବହାର କରି ନିଜ ସ୍ୱାର୍ଥ ସାଧନ କରିବା ଆଦି ସାମିଲ ରହିଛି। ଏପରିକି ଏହି ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ କ୍ଷମତାକୁ “ଅପବ୍ୟବହାର” କରିବାକୁ ଉଦ୍ୟମ କରୁଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ଅଭିଯୋଗ କରିଛନ୍ତି।

ଓଡିଶାର ବିଭିନ୍ନ ଅଞ୍ଚଳକୁ ଅଫିସରଙ୍କ ଗସ୍ତକୁ ନେଇ ବିଜେପି ଅଭିଯୋଗ ଆଣିଥିବା ବେଳେ ଏହାକୁ ରାଜ୍ୟ ସରକାର ଖଣ୍ଡନ କରିଛନ୍ତି। କେବଳ ସେତିକି ନୁହେଁ, ଅଧିକାରୀ ଜଣକ କେବଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରୁଛନ୍ତି ବୋଲି ମଧ୍ୟ ସରକାର କହିଛନ୍ତି।

ଏବେ ଏହି ମାମଲାର ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ କହିଛି। ଏବେ ସଂପୃକ୍ତ ଆଇଏଏସ୍ ଅଫିସରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓଡ଼ିଶା ସରକାରଙ୍କୁ ଆହୁରି ଚାପରେ ପକାଇଛି। ସରକାର ଏହି ମାମଲାକୁ କିଭଳି ପରିଚାଳନା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ।

Comments are closed.