ନୂଆଦିଲ୍ଲୀ: ଦେଶର ସମସ୍ତ ପଞ୍ଚାୟତ ୟୁପିଆଇ ସେବା ପ୍ରଦାନ କରିବେ। ସ୍ବାଧୀନତା ଦିବସ ପୂର୍ବରୁ ଏହି ବ୍ଯବସ୍ଥା ଆପଣାଇ ପଞ୍ଚାୟତରେ ହେଉଥିବା ଆର୍ଥିକ କାରବାରକୁ ଦୁର୍ନୀତି ମୁକ୍ତି ରଖିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଚିଠିରେ ସ୍ୱାଧୀନତା ଦିବସଠାରୁ ଆରମ୍ଭ କରି ସମସ୍ତ ବିକାଶମୂଳକ କାମ ଓ ରାଜସ୍ୱ ଆଦାୟ ପାଇଁ ଦେଶର ସମସ୍ତ ପଞ୍ଚାୟତକୁ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି।
ଜୁନ୍ ୧୬, ୨୦୨୩ ରେ ଚିଠିରେ କୁହାଯାଇଛି ଯେ ରାଜ୍ୟଗୁଡିକ ୟୁପିଆଇ-ସକ୍ଷମ ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ, ସାଂସଦ, ଏବଂ ବିଧାୟକଙ୍କ ପରି ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ “ଘୋଷଣା ଏବଂ ଉଦଘାଟନ” କରିବା ଉଚିତ୍।
ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶନାମାର ଅଂଶ ସ୍ୱରୂପ ଜୁନ୍ ୩୦ ତାରିଖରେ ସେବା ପ୍ରଦାନକାରୀ ଓ ଭେଣ୍ଡରମାନଙ୍କ ସହ ବୈଠକ କରିବାକୁ ପଞ୍ଚାୟତଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ୟୁପିଆଇ ପ୍ଲାଟଫର୍ମର ପ୍ରତିନିଧିଙ୍କ ସମ୍ପର୍କୀୟ ତଥ୍ୟ ଥିବା ଏକ ତାଲିକା ସେୟାର କରାଯାଇଛି। ଯେଉଁଥିରେ ଗୁଗୁଲ ପେ, ଫୋନ୍ ପେ, ପେଟିଏମ୍, ଭୀମ, ମୋବିକ୍ୱିକ୍, ହ୍ୱାଟସଆପ ପେ, ଆମାଜନ ପେ, ଏବଂ ଭାରତ ପେ ସାମିଲ ରହିଛି।
ମନ୍ତ୍ରାଳୟର ଗାଇଡଲାଇନ୍ ଅନୁଯାୟୀ ପଞ୍ଚାୟତଗୁଡ଼ିକ ଜୁଲାଇ ୧୫ ସୁଦ୍ଧା ଉପଯୁକ୍ତ ସେବା ପ୍ରଦାନକାରୀ ଚୟନ କରି ଜୁଲାଇ ୩୦ ସୁଦ୍ଧା ଭେଣ୍ଡର ଚୂଡ଼ାନ୍ତ କରିବା ଆବଶ୍ୟକ।
ପଞ୍ଚାୟତଗୁଡ଼ିକୁ ଗୋଟିଏ ଭେଣ୍ଡର ଚୟନ କରିବାକୁ ପରାମର୍ଶ ଦିଆୟାଇଛି ଯାହା ସମଗ୍ର କ୍ଷେତ୍ରକୁ କଭର କରିପାରିବ। ଏହାବ୍ୟତୀତ, ମନ୍ତ୍ରଣାଳୟ ରିଅଲ-ଟାଇମରେ ନେଣଦେଣ ଉପରେ ନଜର ରଖିବା ପାଇଁ ଏକ କେନ୍ଦ୍ରୀକୃତ ଡ୍ୟାସବୋର୍ଡ ପ୍ରତିଷ୍ଠା କରିବାକୁ ସୁପାରିଶ କରିଛି।
ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ସୁନୀଲ କୁମାର କହିଛନ୍ତି ଯେ, ୯୮ ପ୍ରତିଶତ ପଞ୍ଚାୟତ ୟୁପିଆଇ ଆଧାରିତ ପେମେଣ୍ଟର ବ୍ୟବହାର ଆରମ୍ଭ କରିସାରିଛନ୍ତି।
ପବ୍ଲିକ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ (ପିଏମଏଫଏସ) ମାଧ୍ୟମରେ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ଦେୟ ପ୍ରଦାନ କରାଯାଇଛି। ଏଣିକି ପଞ୍ଚାୟତକୁ ଡିଜିଟାଲ ମାଧ୍ୟମରେ ଅର୍ଥ ପ୍ରଦାନ କରାଯିବ। ଚେକ୍ ଓ ନଗଦ ଅର୍ଥ ପ୍ରଦାନ ପ୍ରାୟତଃ ବନ୍ଦ ହୋଇଯାଇଛି। ଆମେ ପ୍ରାୟ ୯୮ ପ୍ରତିଶତ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରିସାରିଛୁ ବୋଲି ସେ କହିଛନ୍ତି।
ଜିଲ୍ଲା ଓ ବ୍ଲକସ୍ତରରେ ଅଧିକାରୀଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ କପିଳ ମୋରେଶ୍ୱର ପାଟିଲ କହିଛନ୍ତି, ଡିଜିଟାଲ୍ ନେଣଦେଣକୁ ସକ୍ଷମ କରିବା ଦ୍ୱାରା ଦୁର୍ନୀତିକୁ ରୋକାଯାଇପାରିବ।
Comments are closed.