ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ସିଡ଼୍ ଧୀର ସ୍ୱରରେ ଏକଥା କହୁଥାଏ ଯେମିତି ବୀରା ଶୁଣି ନପାରିବ । “ହଁ ମୁଁ ବୁଝୁଛି । କିନ୍ତୁ ଆମେ ତାକୁ ଦିନେ ଦୁଇଦିନର ସମୟ ଦେବା ଉଚିତ୍ । ଏମିତିରେ ବି ସମୀରାକୁ ହରାଇଥିବାର ଦୁଃଖ ଭିତରୁ ସେ ବାହାରି ପାରିନାହିଁ ଏପର୍ଯ୍ୟନ୍ତ । ତା’ ଉପରେ ଆଉ ଏକ ଦୁଃଖ ପଡ଼ିଲେ, ସେ ନିଜକୁ କ’ଣ ସମ୍ଭାଳିପାରିବ?” ଧୀର ଗଳାରେ ରୋହାନ୍ ସିଡ଼୍କୁ କହିଲା । “ସେଇଠି ହିଁ ତ ସବୁ ଅସୁବିଧା । ଆମ ପାଖରେ ଯଥେଷ୍ଟ ସମୟ
ନାହିଁ । ବଞ୍ଚିଥିବା ଯାତ୍ରୀମାନଙ୍କ ତାଲିକା ଖୁବ୍ ଶୀଘ୍ର ଆସିଯିବ । ଅଙ୍କଲ ଓ ଆଣ୍ଟି ଯେ ନିଶ୍ଚିତ ବଞ୍ଚିଥିବେ, ତା’ର କିଛି ଗ୍ୟାରେଣ୍ଟି ନାହିଁ ବୋଲି ଆମକୁ ଖୁବ୍ ଯତ୍ନ ଓ ସତର୍କତାର ସହ ବୀରାକୁ ବୁଝେଇବାକୁ ହେବ । ଏଇଥିରେ ହିଁ ତା’ର ମଙ୍ଗଳ ।” ସିଡ଼୍ କହିଲା ।
ରୋହାନ୍ କିଛି ଉତ୍ତର ଦେବାକୁ ଯାଉଥିଲା, ଠିକ୍ ଏତିକି ବେଳେ ଶୁଭିଲା… “କ’ଣଟା ମଙ୍ଗଳ ହେବ ଏବଂ କାହା ପାଇଁ?”
ରୋହାନ୍ ଏବଂ ସିଡ଼୍ ବୁଲିପଡ଼ି ଦେଖନ୍ତି ତ ବୀରା ଅଚାାରେ ହାତଦେଇ ପ୍ରଶ୍ନିଳ ଚାହାଣୀରେ ଚାହିଁ ରହିଛି ସେ ଦୁଇଜଣଙ୍କୁ । ତାକୁ ଏ ପ୍ରକାରରେ ଦେଖି ସିଡ଼୍ ଅନୁଭବ କଲା ସତେ ଯେମିତି ସେ ଧମକଭରା ଚାହାଣୀରେ ଛିଡ଼ା ହୋଇଛି ଯାହାକୁ ଦେଖି ଜଣେ ଯେତେ ଦୃଢ଼ବିଶ୍ୱାସୀ ହୋଇଥିଲେ ବି ଭୟ କରିଯିବ । ଦୁଇଭାଇଯାକ ପରସ୍ପରକୁ ଚାହାଁଚୁହିଁ ହେଲେ, ସତେ ଯେମିତି ଉଭୟ ଉଭୟଙ୍କୁ ଦୋଷ ଦେଉଥାଆନ୍ତି ଯେ ଏ ସବୁକଥା ବୋଧହୁଏ ବୀରା ଶୁଣି ନେଇଛି । ଗଳା ଝାଡ଼ି ରୋହାନ୍ କହିଲା, “ସିଡ଼୍ କ’ଣ କହୁଥିଲା କି ବୀରା, ତମେ ବହୁତ କ୍ଲାନ୍ତ ହୋଇପଡ଼ିଛ, ବରଂ ଭଲ ହେବ, ଯାଇ ଟିକେ ଶୋଇପଡ଼…” । ଖନେଇ ଖନେଇ
ରୋହାନ୍ ଏତକ କହିଛି କି ନାହିଁ, ବୀରା ଭ୍ରୁଲତା ଉଠେଇ ଏମିତି ଚାହିଁଲା, ଯେମିତି ରୋହାନ୍ ମିଛ କହୁଛି କି ସତ କହୁଛି, ସେ ତା’ କଥାକୁ ବିଶ୍ୱାସ କରିପାରୁ ନଥିଲା ।
ରୋହାନ୍ ବିକଳ ହୋଇ ସିଡ଼୍କୁ ଚାହିଁଲା । ଏ ବାବଦରେ ତା’ର ରାୟ କ\’ଣ ହେବ ଶୁଣିବାକୁ । କିନ୍ତୁ ବୀରା ସନ୍ଦେହ କରୁଛି ବୋଲି ମୁଣ୍ଡ ହଲେଇ ସ୍ପଷ୍ଟ ଭାବରେ ଜଣେଇ ଦେଲା ପରେ ରୋହାନ୍ ବି ଜାଣିଗଲା ଯେ ତା’ର ପଦୁଟିଏ କଥା ବି ବୀରା ବିଶ୍ୱାସ କରିନାହିଁ ।
କ୍ରମଶଃ
Comments are closed.