Latest Odisha News

ରାଜଧାନୀରୁ ଅପହୃତ ଛାତ୍ରଙ୍କୁ ଧରି ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଆହତ ଛାତ୍ର

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ  ସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ଦୁଇ ନିଖୋଜ ଛାତ୍ରଙ୍କୁ ଗତକାଲି ଟିଟିଲାଗଡରୁ ଉଦ୍ଧାର କରିବା ପରେ ପାେଲିସର ଏକ ଟିମ ଉଭୟଙ୍କୁ ଧରି ଫେରୁଥିଲା ।  ହେଲେ ଆଜି  ଫେରିବା ବାଟରେ ଏହି ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘରକୁ ଫେରିବା ବଦଳରେ ଦୁଇ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।  ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଦୁଇ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏଠି କହିରଖିବୁ, ଏଇ ଦୁଇ ଛାତ୍ର  ମଙ୍ଗଳବାର ଦିନ ସ୍କୁଲ ଯାଇ ଘରକୁ ଫେରି ନ ଥିଲେ । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଚନ୍ଦକା ଥାନା ପୋଲିସ ସେମାନଙ୍କୁ ଖୋଜାଖୋଜି କରିଥିଲା । ବୁଧବାର ସେମାନଙ୍କୁ ବଲାଙ୍ଗିର ଜିଲ୍ଲା ଟିଟଲାଗଡରୁ ଉଦ୍ଧାର କରାଯାଇଥିଲା । ଚନ୍ଦକା ପୋଲିସର ଏକ ଟିମ ସେମାନଙ୍କୁ ଆଣିବା ପାଇଁ ବଲାଙ୍ଗିର ଯାଇଥିଲା । ପୋଲିସ ଟିମ ସହ ଦୁଇ ଛାତ୍ରଙ୍କ ପରିବାରର ସଦସ୍ୟ ମଧ୍ୟ ଯାଇଥିଲେ ।

ଦୁଇ ଛାତ୍ରଙ୍କୁ ଧରି ଗୁରୁବାର ଏହି ଟିମ ଫେରୁଥିଲେ । ଏକ ଏସୟୁଭିରେ ସମସ୍ତେ ଫେରୁଥିଲାବେଳେ ଦଶପଲ୍ଲାର ବାଣିଗୋଛା ରୋଡରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ  ଭର୍ତ୍ତି କରିଥିଲେ । ସେଠାରେ ଦୁଇ ଛାତ୍ରଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି ।

ଏଠି କହିରଖିବୁ, ଏହି ଦୁଇଛାତ୍ରଙ୍କୁ ଅଚେତ କରି କେହି ଦୁର୍ବୃତ୍ତ ସ୍କୁଲ ନିକଟରୁ ଅପହରଣ କରି ନେଇଥିଲେ । ସେମାନେ ଟିଟଲାଗଡରେ ପହଞ୍ଚିବା ପରେ ଦୁଇଛାତ୍ର କୌଶଳକ୍ରମେ ଅପହର୍ତ୍ତାଙ୍କ କବଳରୁ ଖସି ଆସିଥିଲେ । ଦୁର୍ବୃତ୍ତଙ୍କ କବଳରୁ ଖସିବା ପରେ ପରବାର ଲୋକଙ୍କୁ ଫୋନ କରି ଜଣାଇଥିଲେ । ପରେ ପୋଲିସ ତାଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଫେରାଇ ଆଣିବାକୁ ଯାଇଥିଲା ।

Comments are closed.