ବିଶାଖାପାଟଣା: ବଜାରରେ ଟମାଟୋର ଭାଉ କାହିଁରେ କେତେ ? ଆଜିର ଦିନରେ ଯାହା ପାଖେ ଟମାଟୋ ଅଛି, ସେ ଏବେ ଲକ୍ଷପତି । ଆଉ ଟମାଟୋ ଚାଷ କରି ଲକ୍ଷପତି ବନିଥିବା ଆନ୍ଧ୍ରର ଜଣେ ଚାଷୀଙ୍କୁ ଗାଁ ଦାଣ୍ଡରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ବୁଧବାର ଆନ୍ଧ୍ରପ୍ରଦେଶର ଅନ୍ନାମୟା ଜିଲ୍ଲାରେ ନରେମ ରାଜଶେଖର ରେଡ୍ଡୀ ନାମକ ଚାଷୀଙ୍କୁ ହତ୍ୟା କରାଯାଇଛି ।
ସୂଚନାଯୋଗ୍ୟ, ଜୁଲାଇ ପ୍ରଥମ ସପ୍ତାହରେ ନରେମ ୩୦ ଲକ୍ଷ ଟଙ୍କାର ଟମାଟୋ ବିକ୍ରି କରିଥିଲେ । ତଥାପି ଏବେ ବି ଟଙ୍କା ବ୍ୟବସାୟୀଙ୍କ ପାଖରେ ରହିଛି । ନରେମ ମଙ୍ଗଳବାର ମଧ୍ୟ ୭୦ କ୍ୱିଣ୍ଟାଲ୍ ଟମାଟୋ ମାର୍କେଟରେ ପହଞ୍ଚାଇଥିଲେ । ଏବେ ତାଙ୍କୁ ହତ୍ୟା କରାଯାଇଥିବା ବେଳେ ଟମାଟୋ କିଣିଥିବା ବ୍ୟବସାୟୀ ମାର ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।
ନରେମଙ୍କ ପତ୍ନୀଙ୍କ ଅନୁସାରେ, ସ୍ୱାମୀ ସନ୍ଧ୍ୟାରେ କ୍ଷୀର ନେଇ ଘରୁ ବାହାରି ଥିଲେ । ତାଙ୍କ ଯିବା ପରେ କିଛି ଲୋକ ଟମାଟୋ କିଣିବା ବାହାନାରେ ଜମିକୁ ଆସିଥିଲେ । ଆଉ ସ୍ୱାମୀ ଗାଁ ଗରକୁ ଯାଇଥିବା କହିବା ପରେ ସେମାନେ ଚାଲି ଯାଇଥିଲେ ।
ଆଉ ନରେମ ବହୁ ସମୟ ପରେ ନ ଫେରିବାରୁ ସ୍ତ୍ରୀ ଚିନ୍ତିତ ହୋଇ ପଡ଼ିଥିଲେ । ଏପରିକି ଫୋନ୍ କଲେ ମଧ୍ୟ ଉଠାଇ ନଥିଲେ । ଏହା ପରେ ନରେମଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ । ଖୋଜାଖୋଜି ବେଳେ ସଡ଼କ କଡ଼ରୁ ମିଳିଥିଲା ନରେମଙ୍କ ମୃତଦେହ ।
ସ୍ଥାନୀୟ ଡିସିପିଙ୍କ ଅନୁସାରେ, ନରେମ କ୍ଷୀର ନେଇ ଯାଉଥିବା ବେଳେ ରାସ୍ତାରେ ୩ରୁ ୪ ଜଣ ତାଙ୍କୁ ଘେରି ଯାଇଥିଲେ । ଆକ୍ରମଣକାରୀ ନରେମଙ୍କ ହାତଗୋଡ଼ ବାନ୍ଧି ଦେବା ସହ ଗାମୁଛାରେ ତଣ୍ଟି ଚିପି ହତ୍ୟା କରି ଦେଇଛନ୍ତି । ଆଶଙ୍କା କରୁଛୁ ଟମାଟୋ ବିକ୍ରିରୁ ଆୟ ଟଙ୍କା ଲୁଟ୍ ପାଇଁ ଆକ୍ରମଣକାରୀ ଆସିଥିଲେ । ମାମଲାର ତଦନ୍ତ ଜାରି ରହିଥିବା କହିଛି ପୋଲିସ ।
Comments are closed.