ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ଫୋନ୍ ଉଠାଇବାମାତ୍ରେ ହିଁ ରୋହାନ୍ ଜାଣିଗଲା ଯେ ଏ ଫୋନ୍ କଲ୍ଟି ତା’ ମା’ଙ୍କର । କାନରେ ରିସିଭର୍ ଦେଇ ସେ ତାଙ୍କ କୋହଭରା କାନ୍ଦ ଶୁଣିପାରୁଥିଲା । ତା’ ମା’, ମିସେସ୍ ସୁରେଖା ସୁମନ୍, ଜଣେ ଖୁବ୍ ଟାଣୁଆ ସ୍ତ୍ରୀଲୋକ ଯିଏ କ୍ୱଚିତ୍ କାନ୍ଦନ୍ତି । ତାଙ୍କ କୋହ ଶୁଣି ରୋହାନ୍ ବୁଝିପାରିଲା ଯେ ସେ ଖୁବ୍ ଭୟଭୀତ ହୋଇ ପଡ଼ିଥିଲେ । ତା’ର କଣ୍ଠସ୍ୱରରେ ବୀରାକୁ ନେଇଥିବା ବିବ୍ରତ ଭାବ ଲୁଚାଇ ରଖି ରୋହାନ୍ କହିଲା, “ହାଏ ମମ୍, ତମେ କେମିତି ଅଛ ? ଡାଡ଼୍ କେମିତି ଅଛନ୍ତି?” ଏତକ ଶୁଣି ତା’ ମା’ ଆହୁରି ଜୋର୍ରେ କାନ୍ଦିବାକୁ ଲାଗିଲେ ।
“ତୁ କେମିତି ଅଛୁ ମୋ’ ପୁଅ? ଆଉ ମୋ’ ସିଡ଼୍? ତମ ଜାହାଜ ବୁଡ଼ିଯାଇଛି ବୋଲି ଶୁଣିଲା ପରେ ମୋ’ ହୃତସ୍ପନ୍ଦନ ବନ୍ଦ ହୋଇଯାଇଥିଲା ଯେମିତି । ମୁଁ ତତେ ଫୋନ୍ କରିବାକୁ ଚେଷ୍ଟା କରିଥିଲି, ହେଲେ…” ।
“ହଁ, ମୁଁ ଜାଣେ ମମ୍ । ଆମେ ଲାଇଫ୍ବୋଟ୍ରେ ବସିଥିଲା ବେଳେ ମୋ’ ପକେଟ୍ରୁ ଖସିପଡ଼ି ଫୋନ୍ଟା ପାଣିରେ ପଡ଼ିଯାଇଥିବ ବୋଧେ । ସିଡ଼୍ ବି ତା’ ଫୋନ୍ଟା ରୁମ୍ରେ ଛାଡ଼ି ଆସିଥିଲା । ଆମ ସବୁ ଜିନିଷପତ୍ର, ଲୁଗାପଟା ମଧ୍ୟ ସେ ଜାହାଜରେ ରହିଯାଇଥିଲା । ଏଠି ଆମକୁ ଅଲଗା କିଛି ଜିନିଷପତ୍ର ଦିଆଯାଇଛି ।”
ଆଲୋଚନାର ବିଷୟବସ୍ତୁ ବଦଳେଇ ତା’ ମା’ର ଧ୍ୟାନ ହଟାଇବାକୁ ଚେଷ୍ଟା କରୁଥିଲା ରୋହାନ୍ ।
“ବୀରା ଓ ସମୀରା ଭଲରେ ଅଛନ୍ତି ତ ?”, ମା’ଙ୍କର ଏ ପ୍ରଶ୍ନରେ ରୋହାନ୍ ହଠାତ୍ ଜଣେ ପଚାଶ ବର୍ଷ ବୟସ୍କ ଲୋକ ପରି ପରିପକ୍ୱ ହୋଇଗଲା ପରି ଲାଗିଲା । କଣ୍ଠସ୍ୱର ଏକଦମ୍ ସ୍ଥିର ଓ ଆବେଗହୀନ ରଖି ସେ କହିଲା, “ବୀରାର ଅବସ୍ଥା ଭଲ ନାହିଁ ମମ୍ । ସମୀରା, ଅଙ୍କଲ ଓ ଆଣ୍ଟି ସମସ୍ତେ ଏ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।” ଏ କଥା ଶୁଣି ତା’ ମା’ ଦୀର୍ଘଶ୍ୱାସ ନେଇ ଆଶ୍ଚର୍ଯ୍ୟ ରେ ଚିତ୍କାର କରିଉଠିବାର ରୋହାନ୍ ଶୁଣି ପାରିଲା ।
କ୍ରମଶଃ
Comments are closed.