Latest Odisha News

ରାଜ୍ୟରେ ଥିବା ବିଭିନ୍ନ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଛି ଅଧ୍ୟାପକ ପଦ

ଭୁବନେଶ୍ୱର: ଓଡ଼ିଶାର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ଅନେକ ବିଶ୍ବବିଦ୍ୟାଳୟଗୁଡ଼ିକରେ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି। ଏକ ଆରଟିଆଇ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଜାଣିବାକୁ ମିଳିଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାୟ ସବୁ ବିଭାଗରେ ପ୍ରଫେସର ପଦବୀ ଖାଲି ପଡ଼ିଛି। କେମିଷ୍ଟ୍ରି ବିଭାଗରେ ଛଅ ଜଣ ଟିଚିଂ ଷ୍ଟାଫ୍ ରହିବା କଥା। କିନ୍ତୁ ବର୍ଷ ବର୍ଷ ଧରି କେବଳ ତିନି ଜଣ ଆସିଷ୍ଟାଣ୍ଟ ପ୍ରଫେସର ଏହି ବିଭାଗରେ କାମ କରୁଛନ୍ତି।

କମ୍ପ୍ୟୁଟର ସାଇନ୍ସ ବିଭାଗର ଅବସ୍ଥା ମଧ୍ୟ ସେତେଟା ଭଲ ନୁହେଁ। ନଅ ଜଣ କର୍ମଚାରୀଙ୍କ ବଦଳରେ ବିଭାଗରେ ମାତ୍ର ଚାରି ଜଣ ସହକାରୀ ପ୍ରଫେସର ଅଛନ୍ତି। ବିଶ୍ବବିଦ୍ୟାଳୟରେ ୨୪ଟି ପ୍ରଫେସର ପଦବୀ ମଧ୍ୟରୁ ୧୪ଟି ଖାଲି ପଡ଼ିଛି। ସେହିପରି ୧୯୬ଟି ଅନୁମୋଦନ ହୋଇଥିବା ଅଧ୍ୟାପକ ପଦବୀ ମଧ୍ୟରୁ ୮୬ଟି ଖାଲି ପଡ଼ିଛି।

ଆମ ପାଖରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଥିବାରୁ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛୁ। ସମସ୍ୟା ମଧ୍ୟ ଅସଂଖ୍ୟ। ଆମ ପାଖରେ କର୍ମଚାରୀ ଅଭାବ ଥିବାରୁ ଠିକ୍ ସମୟରେ ରେଜଲ୍ଟ ପ୍ରକାଶ ହୋଇପାରୁନାହିଁ ଯାହା ଅନ୍ୟ କେତେକ ସମସ୍ୟାକୁ ଜନ୍ମ ଦେଉଛି ବୋଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ କହିଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟରେ ମୋଟ ଅନୁମୋଦନପ୍ରାପ୍ତ ଅଧ୍ୟାପକ କର୍ମଚାରୀ ପଦବୀ ସଂଖ୍ୟା ୨୫୭ ଥିବାବେଳେ ସେଥିମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଖାଲି ପଡ଼ିଛି। ଫଳରେ ବର୍ଷ ବର୍ଷ ଧରି ୧୨୯ଟି ପଦବୀ ଖାଲି ପଡ଼ିଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସ୍ଥିତି ବିଷୟରେ ଯେତେ କମ୍ କୁହାଯିବ, ସେତେ ଭଲ। ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସମେତ ୧୩୮ଟି ଅନୁମୋଦନପ୍ରାପ୍ତ ପଦବୀ ମଧ୍ୟରୁ ୭୯ଟି ଖାଲି ପଡ଼ିଛି।

ସେହିପରି କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଠିକା ପ୍ରଫେସରମାନେ ଅଧିକାଂଶ କାମ କରୁଛନ୍ତି। ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଯାବତ୍ କୌଣସି ପଦକ୍ଷେପ ନିଆଯାଇନାହିଁ। ଏଠାରେ ୧୨୦ଟି ପଦବୀ ଖାଲି ପଡ଼ିଛି।

ବାଲେଶ୍ୱରର ଫକୀର ମୋହନ ବିଶ୍ବବିଦ୍ୟାଳୟ ଓ ବାରିପଦାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ଯଥାକ୍ରମେ ୧୧୭ଟି ପଦବୀରୁ ୪୩ଟି ଓ ୧୧୫ଟିରୁ ୭୬ଟି ପଦବୀ ଖାଲି ପଡ଼ିଛି। ମୋଟ ଅଧ୍ୟାପକ ପଦବୀ ମଧ୍ୟରୁ ୪୯ ପ୍ରତିଶତ ଖାଲି ଥିବାରୁ ବିଶ୍ୱବିଦ୍ୟାଳୟର ପାଠପଢା ମୁଖ୍ୟତଃ ପ୍ରଭାବିତ ହୋଇଛି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରଥମେ କର୍ମଚାରୀ ନିଯୁକ୍ତି କରାଯିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି, ଆମେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନେଇ ବିଶ୍ୱବିଦ୍ୟାଳୟ ଚଳାଉଛୁ।

ସେପଟେ କ୍ୟାରିୟରକୁ ନେଇ ମଧ୍ୟ ଚିନ୍ତାରେ ଛାତ୍ରଛାତ୍ରୀ। ପ୍ରାୟ ସବୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାନ କମିବାରେ ଲାଗିଛି ବୋଲି ଛାତ୍ର ସତ୍ୟଶିବ ମହାନ୍ତି କହିଛନ୍ତି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚଳିତ ସପ୍ତାହରେ ଆମେ କାଉନସେଲିଂ ମାଧ୍ୟମରେ କିଛି ଅଧ୍ୟାପକଙ୍କୁ ନିଯୁକ୍ତି ଦେବାକୁ ଯାଉଛୁ।

Comments are closed.