Latest Odisha News

BREAKING NEWS

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମୋକିମ୍-ଚିରଞ୍ଜୀବ ଝଡ଼

ଭୁବନେଶ୍ୱର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନକୁ ନେଇ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଯାହାକୁ ନେଇ ନେତାଙ୍କ ମଧ୍ୟରେ କଥାକଟାକଟି ହୋଇଛି।

ଅନେକ ଦଳୀୟ କର୍ମୀ ଏବଂ ନେତା ମୋକିମ୍ ଏବଂ ବିଶ୍ୱାଳଙ୍କ ସମର୍ଥନରେ ଆସିଥିଲେ ଏବଂ କୌଣସି ଆଲୋଚନା ନକରି ସେମାନଙ୍କୁ ନିଲମ୍ବିତ କରାଯାଇଥିବା ଅଭିଯୋଗ କରିଛନ୍ତି। ସେହିପରି ଆଉ କିଛି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି କାରଣ ଉଭୟ ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ।

ଅପରପକ୍ଷରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏହି ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, କାର୍ଯ୍ୟନିର୍ବାହୀ କମିଟି ବୈଠକରେ ମୋକିମ ଓ ବିଶ୍ୱାଳଙ୍କ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ, ବରଂ ବେକାରି ସମସ୍ୟା, ଦର ବୃଦ୍ଧି, ଛାତ୍ର ସଂସଦ ନିର୍ବାଚନ, ଚିଟଫଣ୍ଡ ଦୁର୍ନୀତି ନେଇ ଆଲୋଚନା ହୋଇଥିଲା।

ମୋକିମ ଓ ବିଶ୍ୱାଳଙ୍କ ନିଲମ୍ବନ ବ୍ୟକ୍ତିଗତ ମାମଲା ଯାହା ପରେ ଆଲୋଚନା ହୋଇପାରିବ। 2024 ସାଧାରଣ ନିର୍ବାଚନରେ ଆମେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛୁ ଏବଂ ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛୁ। ଦଳରେ କେହି ଅସନ୍ତୁଷ୍ଟ ନୁହନ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି।

ସେପଟେ ଏହି ନିଷ୍ପତ୍ତିର ପୁନର୍ବିଚାର ଓ ତୁରନ୍ତ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ଆଜି କଟକ ସିଡିଏ ଅଞ୍ଚଳରେ ମୋକିମ ଓ ବିଶ୍ୱାଳଙ୍କ ଶତାଧିକ ସମର୍ଥକ ନୀରବ ପ୍ରତିବାଦ କରିଛନ୍ତି। ପୂର୍ବରୁ ଜୁଲାଇ 15 ତାରିଖରେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଉଭୟ ମୋକିମ ଓ ବିଶ୍ୱାଳଙ୍କୁ ନିଲମ୍ବିତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଦଳୀୟ କାର୍ଯ୍ୟାଳୟରେ ବସିବାର ନଜିର ରହିଛି। ଏଥିର କିନ୍ତୁ ଦଳୀୟ ନେତା ତଥା ନିଲମ୍ବିତ ନେତାଙ୍କ ସମର୍ଥକଙ୍କ ବିଶୃଙ୍ଖଳାକୁ ଦେଖି ଘରୋଇ ହୋଟେଲରେ ବୈଠକ ବସିଥିଲା। ଯେଉଁଥିରେ ପିସିସି ସଭାପତି, ପ୍ରଭାରୀ, ଦଳର ନିର୍ବାଚିତ ପ୍ରତିନିଧି ଓ ଅନ୍ୟ ନେତାମାନେ ଯୋଗ ଦେଇଥିଲେ।

Comments are closed.