Latest Odisha News

ଜେଇ ମେନ୍ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍, ଓସଏସସି ଘୋଷଣା କଲା ନୂଆ ପରୀକ୍ଷା ତାରିଖ

ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍ଏସସି) ପକ୍ଷରୁ ୨୦୨୩ ଜୁଲାଇ ୧୬ରେ ଅନୁଷ୍ଠିତ ଜେଇ ସିଭିଲ୍ ମେନ୍ ଲିଖିତ ପରୀକ୍ଷାକୁ ବାତିଲ୍ କରାଯାଇଛି। ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗର ତଦନ୍ତ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ପରୀକ୍ଷା ପୂର୍ବ ଦିନ ପ୍ରଶ୍ନପତ୍ର ଲିକ୍ ହୋଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଲିକ୍ ଘଟଣାର ମାଷ୍ଟରମାଇଣ୍ଡ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି ବାଲେଶ୍ୱର ପୋଲିସ। ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ନେଇ ଏସପି ସାଗରିକା ନାଥ ସୂଚନା ଦେବା ପରେ ଓଏସଏସସି ତୁରନ୍ତ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ସେପ୍ଟେମ୍ବର ୩ ତାରିଖରେ ଜେଇ ସିଭିଲ ପାଇଁ ନୂଆ କରି ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଏସଏସସି ପକ୍ଷରୁ ଘୋଷଣା କରାଯାଇଛି।

ଏହି ମାମଲାରେ ବାଲେଶ୍ୱରରେ ନକଲି ଚାକିରୀ ରାକେଟରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ସରକାରୀ ଓ ବେସରକାରୀ କ୍ଷେତ୍ରରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ୧୫୦ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ଠକିଥିବା ଅଭିଯୋଗ ହୋଇଛି।

ଗିରଫ ବ୍ୟକ୍ତିମାନେ ହେଲେ ଦେବବ୍ରତ ମଲ୍ଲିକ, ସମିତା ପଣ୍ଡା, ସମ୍ବିତ କୁମାର ପଣ୍ଡା, ସୁଶୀଲ କୁମାର ମହାନ୍ତି, ଏବଂ ଅନ୍ୟ ଚାରିଜଣ। ସରକାରୀ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଯୋଗାଣ ପାଇଁ ପ୍ରତି ପରୀକ୍ଷାର୍ଥୀଙ୍କଠାରୁ ୮ରୁ ୧୦ ଲକ୍ଷ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ଏହି ରାକେଟର ମାଷ୍ଟରମାଇଣ୍ଡ ଫେରାର ଥିବା ବେଳେ ପୁଲିସ ତାକୁ ଖୋଜୁଛି।

ପ୍ରଶ୍ନପତ୍ର କିପରି ଲିକ୍ ହେଲା ଏବଂ ଏହି ରାକେଟରେ କିଏ କିଏ ସାମିଲ ଥିଲେ ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ପ୍ରଶ୍ନପତ୍ର ପାଇଁ ଅଭିଯୁକ୍ତଙ୍କୁ ଟଙ୍କା ଦେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଠାବ କରିବାକୁ ଚେଷ୍ଟା କରାଯାଉଛି।

Comments are closed.