Latest Odisha News

BREAKING NEWS

ଏମକେସିଜିର ଏମଆରଆଇ ମେସିନ ଖରାପ, ୬ ମାସରେ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଗଣିଲାଣି ୮୦ ଲକ୍ଷ

ବ୍ରହ୍ମପୁର: ନୂଆ ଏମଆରଆଇ ମେସିନ କାମ କରୁନି। ଆଉ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ପାଣି ଭଳି ପଇସା ଦେଇ ଚାଲିଛି ଦକ୍ଷିଣ ଓଡ଼ିଶାର ପ୍ରମୁଖ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଏମକେସିଜି। ହସ୍ପିଟାଲର ନିଜସ୍ୱ ଏମ୍ଆଆରଆଇ ମେସିନ୍ ୬ ମାସ ତଳେ ଅଚଳ ହେବା ପରଠାରୁ ଏବେ ସ୍କାନ୍ ପାଇଁ ଘରୋଇ ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ୮୦ ଲକ୍ଷ ଟଙ୍କା ପ୍ରଦାନ କରିଛି। ଏହି ଟଙ୍କା ରୋଗୀଙ୍କ ଏମ୍ଆରଆଇ ସ୍କାନ୍ ପାଇଁ ଘରୋଇ ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ହସ୍ପିଟାଲ କର୍ତ୍ତୃପକ୍ଷ ଦେଉଛନ୍ତି।

ଗତ ୬ ମାସ ମଧ୍ୟରେ ଏମକେସିଜି ପକ୍ଷରୁ ହସ୍ପିଟାଲ ନିକଟରେ ଥିବା ଘରୋଇ ଡାଇଗ୍ନୋଷ୍ଟିକ ଓ ଗବେଷଣା କେନ୍ଦ୍ରକୁ ୭୯ ଲକ୍ଷ ୯୪ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ଘରୋଇ କେନ୍ଦ୍ରରେ ସ୍କାନ୍ ପାଇଁ ରୋଗୀ ପିଛା ୬ ହଜାର ଟଙ୍କା ଖର୍ଚ୍ଚ ହେଉଛି।

ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଏମକେସିଜି କେତେ ଟଙ୍କା ଦେଉଥିଲା ତାହା ଜାଣିବା ପାଇଁ ଆରଟିଆଇରେ ଆବେଦନ କରିଥିବା ସ୍ଥାନୀୟ ଓକିଲ ପୀତବାସ ପଣ୍ଡା କହିଛନ୍ତି ଯେ, ହସ୍ପିଟାଲ ନିଜସ୍ୱ ଏମଆରଆଇ ମେସିନ ମରାମତି କରୁ କିମ୍ବା ନୂଆ ମେସିନ କିଣୁ।

ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଟଙ୍କା ଦେଇ ରୋଗୀଙ୍କୁ ଅସୁବିଧାରେ ପକାଇବା ପରିବର୍ତ୍ତେ ଏମକେସିଜି କର୍ତ୍ତୃପକ୍ଷ ନୂଆ ଏମ୍ଆର୍ଆଇ ମେସିନ୍ ବ୍ୟବସ୍ଥା କରନ୍ତୁ କିମ୍ବା ମରାମତି କରନ୍ତୁ ବୋଲି ଆଇନଜୀବୀ ପୀତବାସ ପଣ୍ଡା କହିଛନ୍ତି।

ଏମଆରଆଇ ମେସିନ୍ ପ୍ରଥମେ ୨୦୧୬ରେ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ମୋଡରେ ସ୍ଥାପନ କରାଯାଇଥିଲା। ଏମଆରଆଇ ସ୍କାନ ପାଇଁ ହସ୍ପିଟାଲ ଜଣ ପିଛା ୪ ହଜାର ଟଙ୍କା ନେଉଥିଲା। ତେବେ ୨୦୧୭ ନଭେମ୍ବରରେ କିଛି ବିଦ୍ୟୁତ୍ ମରାମତି କାମ ସମୟରେ ମେସିନ୍ ଖରାପ ହୋଇଯାଇଥିଲା।

୨୦୧୮ ଜାନୁଆରି ମାସରେ ଏକ ନୂଆ ଏମଆରଆଇ ମେସିନ୍ ସ୍ଥାପନ କରାଯାଇଥିଲେ ହେଁ ୬ ମାସ ତଳେ ମେସିନ୍ ଖରାପ ହେବା ପରେ ଏହାକୁ ବ୍ୟବହାର କରି ହେଉନି।

ଏମଆରଆଇ ମେସିନ ବ୍ରହ୍ମପୁର ହସ୍ପିଟାଲ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ମେସିନ ଜରିଆରେ ମସ୍ତିଷ୍କ, ମେରୁଦଣ୍ଡ ଓ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ସ୍କାନ୍ କରାଯାଇଥାଏ। ଏହା ଏକ ମୂଲ୍ୟବାନ ଡାଇଗ୍ନୋଷ୍ଟିକ ଉପକରଣ ଯାହା ଡାକ୍ତରମାନଙ୍କୁ ବିଭିନ୍ନ ପ୍ରକାରର ରୋଗ ନିର୍ଣ୍ଣୟ କରିବାରେ ସାହାଯ୍ୟ କରିଥାଏ।

Comments are closed.