ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ଅନ୍ତଃରାଷ୍ଟ୍ରୀୟ ବ୍ୟାଘ୍ର ଦିବସ । ପ୍ରତିବର୍ଷ ଜନସଚେତନତା କରିବା ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଘ୍ର ଦିବସ ପାଳନ କରାଯାଏ । ବିଶ୍ଵବ୍ୟାପୀ ବାଘ ସଂଖ୍ୟା କମିଯିବାକୁ ନେଇ ଚିନ୍ତା ପ୍ରକଟ କରାଯାଇ ବଘମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ୨୦୧୦ ମସିହାରେ ଋଷ ଦେଶର ସେଣ୍ଟପିଟର ସହରରେ ପ୍ରଥମ ଅନ୍ତଃରାଷ୍ଟ୍ରୀୟ ବ୍ୟଘ୍ର ଦିବସ ପାଳନ କରାଯାଇଥିଲା ।
ଆଜି କିନ୍ତୁ ସଙ୍କଟରେ ବାଘ ବଂଶ । ଜଙ୍ଗଲ ପାଖ ଗାଁରେ ରାତି ହେଲେ ବାଘ ରଡ଼ିରେ ତାଟି ପଡ଼ୁଥିଲା । ହେଲେ ଏବେ ଆଉ ଶୁଭୁନି ବାଘରେ ହେଣ୍ଟାଳ । ଜଙ୍ଗଲ ହ୍ରାସ କରି ରାସ୍ତା ନିର୍ମାଣ ଓ କୋଠା ତିଆରି କରିବା ଫଳରେ କମିବାକୁ ବସିଲାଣି ବାଘ ବାସସ୍ଥାନ । ତେବେ ପ୍ରତିବର୍ଷ ଏକ ସଚେତନଧର୍ମୀ କାର୍ଯ୍ୟକ୍ରମ ରୂପେ ଜୁଲାଇ ୨୯ରେ ସାରା ବିଶ୍ଵରେ ବିଶ୍ଵ ବ୍ୟାଘ୍ର ଦିବସ ପାଳନ କରାଯାଏ । ବାଘ ସଂଖ୍ୟା ହ୍ରାସ ପାଉଛି ଏବଂ ସେମାନଙ୍କୁ ବିଲୁପ୍ତ ହେବାରୁ ରକ୍ଷା କରିବାକୁ ଉଦ୍ୟମ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।
ବାଘ ଶକ୍ତିଶାଳୀର ପ୍ରତୀକ । ଜାତୀୟ ପଶୁ ବାଘଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଜଙ୍ଗଲ ହ୍ରାସ ଓ ଲୋକଙ୍କ ଦ୍ଵାରା ବାଘ ଶିକାର ଏହାର ପ୍ରମୁଖ କାରଣ ପାଲଟିଛି । ଆମ ହାତରେ ହିଁ ଏମାନଙ୍କର ସୁରକ୍ଷା ଅଛି । ସଚେତନତା ହିଁ ଏ ସଙ୍କଟରୁ ମୁକୁଳାଇ ପାରିବ । ବାଘଙ୍କ ପ୍ରତି ବିପଦ ଟଳିବ । ବାଘଙ୍କ ପ୍ରାକୃତିକ ବାସସ୍ଥାନର ସଂରକ୍ଷଣ ଓ ସଶକ୍ତୀକରଣ ନିମନ୍ତେ ଅତ୍ୟାଧୁନିକ ପଦ୍ଧତି ବିକାଶ ଦିଗରେ ଗୁରୁତ୍ଵ ଦିଆଯାଏ । ୧୦୦ ବର୍ଷ ପୂର୍ବରୁ ଏସିଆରେ ୧ଲକ୍ଷ ବାଘଙ୍କ ବାସସ୍ଥଳୀ ଥିଲା । ଏବେ ୪ହଜାର କମ ଅଛି । ବିଶ୍ଵ ବନ୍ୟପ୍ରାଣୀ ପାଣ୍ଠି ଅନୁଯାୟୀ, ଗତ ୧୫୦ ବର୍ଷ ମଧ୍ୟରେ ବାଘସଂଖ୍ୟାର ପ୍ରାୟ ୯୫ ପ୍ରତିଶତ ହ୍ରାସ ପାଇଛି । ତେଣୁ ଏହି ଦିନଟି ସେମାନଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସମସ୍ତଙ୍କୁ ଉତ୍ସାହିତ କରିବା ଲକ୍ଷରେ ପାଳନ କରାଯାଏ ।
ସେପଟେ ବିଶ୍ଵ ବ୍ୟାଘ୍ର ଦିବସ ଅବସରରେ ଆଜି ନନ୍ଦନକାନନ ପ୍ରାଣୀଉଦ୍ୟାନ ପକ୍ଷରୁ ୧୪ତମ ବ୍ୟାଘ୍ର ଦିବସ ପାଳନ କରାଯିବ । ଏହି ଅବସରରେ ସ୍କୁଲ ପିଲା ଓ ପର୍ଯ୍ୟଟକଙ୍କୁ ନେଇ “କାନନ” ଖୁଆଡ଼ ସମ୍ମୁଖରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ବାଘମାନଙ୍କ ବାସସ୍ଥାନ, ଖଦ୍ୟପେୟ, ସମ୍ପର୍କରେ ପିଲାଙ୍କୁ ଅବଗତ କରାଯିବ । ଏଥିସହ ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯିବ । ସଠିକ ଉତ୍ତର ପ୍ରଦାନ କରିଥିବା ପିଲାଙ୍କୁ ପୁରଷ୍କୃତ କରାଯିବ । ଅନଲାଇନ ମାଧ୍ୟମରେ ବାଘ ସଂରକ୍ଷଣ ଉପରେ ଏକ କୁଇଜ୍ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଛି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩ପ୍ରଜାତିର ୨୭ ବାଘ ବାଘୁଣୀ ରହୁଥିବା ବେଳେ ବର୍ଷକ ମଧ୍ୟରେ ୮ବାଘ ଶାବକ ଜନ୍ମ ହୋଇଛନ୍ତି । ବିଶ୍ଵ ବ୍ୟାଘ୍ର ଦିବସରେ ବାଘ ଦେଖିବାକୁ ନନ୍ଦନକାନନରେ ଅନେକ ଭିଡ଼ ଜମିଛି । ସପଟେ ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକଳା। ଏଥିରେ ପ୍ରାୟ ୧୫ଫୁଟ୍ ଲମ୍ବର ଏକ କଲରାପତରିଆ ବାଘର କଳାକୃତିକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଛନ୍ତି। ଆଜିର ଏହି ବାଲୁକାକୃତି ପ୍ରଦର୍ଶନୀର ବିଷୟବସ୍ତୁ ରଖିଛନ୍ତି “Save us to Save the environment”। ଏହି ବାଲୁକାକୃତି ପ୍ରଦର୍ଶନୀରେ ବିଶେଷକରି ପରିବେଶର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ।
Comments are closed.