Latest Odisha News

BREAKING NEWS

ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ: ଯାଞ୍ଚ ପାଇଁ ୩ ମହିଳା ଜଜଙ୍କୁ ନେଇ କମିଟି ଗଠନ

ନୂଆଦିଲ୍ଲୀ: ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ଧରଣର ହସ୍ତକ୍ଷେପ  । ମଣିପୁର ହିଂସାକାଣ୍ଡର ଯାଞ୍ଚ କରିବା ପାଇଁ ସୁପ୍ରିମ କୋର୍ଟ ୩ ଜଣ ପୂର୍ବ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହିଂସା ପ୍ରଣୋଦିତ ମଣିପୁରରେ ରିଲିଫ, ଥଇଥାନ  ପ୍ରସଙ୍ଗକୁ ନେଇ ସୁପ୍ରିମ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଜାମ୍ମୁ କାଶ୍ମୀର ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଗୀତା ମିତ୍ତଲଙ୍କ ନେତୃତ୍ୱରେ ଗଠିତ ଏହି ଟିମରେ ବମ୍ବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଶାଲିନୀ ଯୋଶୀ ଏବଂ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଶା ମେନନ ରହିବେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ, ହିଂସା ମାମଲାର ତଦନ୍ତ ଦାୟିତ୍ୱ  ମହାରାଷ୍ଟ୍ରର ପୂର୍ବତନ ଆଇପିଏସ ଅଫିସର ଦତ୍ତାତ୍ରେୟ ପଦସାଲଜିଲକରଙ୍କୁ ଦିଆଯାଇଛି । ସେହିପରି ମହିଳାଙ୍କ ବିରୋଧରେ ଅପରାଧିକ ଯାଞ୍ଚ ସିବିଆଇ କରିବ ।

ଅନ୍ୟପକ୍ଷେ ସ୍ୱତନ୍ତ୍ର ନିରପେକ୍ଷ ଯାଞ୍ଚ ପାଇଁ ସିବିଆଇ ଅନ୍ୟ ରାଜ୍ୟରୁ ଡେପୁଟି ଏସପି ରାଙ୍କର ୫ ଜଣ ଲେଖାଏ ଅଫିସର ଆଣିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ମାମଲାର ଯାଞ୍ଚ ୪୨ ଏସଆଇଟି କରିବ ।  ଏହାର ନେତୃତ୍ୱ ନେବେ ଏସପି ରାଙ୍କର ଅଧିକାରୀ ।

ଡିଆଇଜି ସ୍ତରର ଅଫିସର ଏସଆଇଟି ତଦାରଖ କରିବେ । ଏଥିସହିତ ତିନି ଜଣ ପୂର୍ବତନ ହାଇକୋର୍ଟ ଜଜଙ୍କ ଅଧ୍ୟକ୍ଷତାରେ ଏକ ସମିତି ଗଠନ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସିଜେଆଇ ଚନ୍ଦ୍ରଚୂଡ କହିଛନ୍ତି, ଆମେ ହାଇକୋର୍ଟ ଜଜଙ୍କ କମିଟି ଏବଂ ଆଇପିଏସ ଅଫିସର ଦତ୍ତାତ୍ରେୟ ପଦସାଲଜିଲକରଙ୍କୁ ନିର୍ଦ୍ଦିଷ୍ଟ ବ୍ୟବଧାନରେ ରିପୋର୍ଟ ଦାଖଲ କରିବାକୁ କହିବୁ । ଲୋକଙ୍କ ଭରସା ଏବଂ ଆଇନ ଉପରେ ବିଶ୍ୱାସ ଫେରାଇ ଆଣିବା ପାଇଁ ଆମର ପ୍ରୟାସ ରହିବ ।

Comments are closed.