Latest Odisha News

BREAKING NEWS

ଦିଲ୍ଲୀ ସେବା ବିଲକୁ ସମର୍ଥନ କରିବା ଅର୍ଥ ନୁହେଁ, ବିଜେପି ସହ ମେଣ୍ଟ ହେବ: ବିଜେଡି ସାଂସଦ

ଭୁବନେଶ୍ୱର: ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲ୍କୁ ସମର୍ଥନ କରିଛି ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି)। ଦଳ କହିଛି ଯେ ଏହି ବିଲ୍କୁ ସମର୍ଥନ କରିବା ଅର୍ଥ ବିଜେପି ସହ ମେଣ୍ଟ କରିବା ବୋଲି କହିବା ଉଚିତ ନୁହେଁ।

ରାଜ୍ୟସଭାରେ ଏହି ବିଲ୍କୁ ସମର୍ଥନ କରି ବିଜେଡିର ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାରଙ୍କ ଦିଲ୍ଲୀ ସେବା ବିଲ୍କୁ ସମର୍ଥନ କରିବା କେବଳ ସଂସଦର କ୍ଷମତାକୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ।

ଏହି ବିଲ୍ ମେ ମାସରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ପ୍ରଭାବଶାଳୀକୁ ଚ୍ୟାଲେଞ୍ଜ କରି ଆସିଛି। ଯେଉଁଥିରେ ସର୍ବୋଚ୍ଚକୋର୍ଟ କହିଥିଲେ, ନିର୍ବାଚିତ ସରକାର ପ୍ରଶାସନିକ ସ୍ତରରେ ଅଦଳ ବଦଳ ଏବଂ ନିଯୁକ୍ତିର ପ୍ରକୃତ ହକଦାର। କିନ୍ତୁ ଏବେ କେନ୍ଦ୍ର ସରକାର ଏହି ସେବା ବିଲ୍ ଆଣି ନିଜ ପାଖରେ କ୍ଷମତା ରଖିଛନ୍ତି।

ବିଜେଡି ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ବଜାୟ ରଖିଛି ବୋଲି ଦର୍ଶାଇ ସସ୍ମିତ ପାତ୍ର ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ଆଞ୍ଚଳିକ ଦଳ ବିଜେପିକୁ ସମର୍ଥନ କରୁନାହିଁ। ବିଧେୟକକୁ ବିଜେଡି ସମର୍ଥନ କରିବାର କାରଣ ହେଉଛି, ଏହା ସମ୍ବିଧାନର ଅଧ୍ୟୟନ କରିଛି, ଯେଉଁଥିରେ ଦିଲ୍ଲୀ ସମ୍ପର୍କିତ ବିଧେୟକ ପ୍ରଣୟନ କରିବା ପାଇଁ ସଂସଦକୁ କିଛି ସ୍ୱତନ୍ତ୍ର ଓ ପୂର୍ଣ୍ଣ ଅଧିକାର ବା କ୍ଷମତା ପ୍ରଦାନ କରାଯାଇଛି।

ବିଜେଡି ସାଂସଦ କହିଛନ୍ତି, ସମ୍ବିଧାନର ଧାରା ୨୩୯ୁୁ ଦିଲ୍ଲୀକୁ ରାଜ୍ୟ ଶାସନରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ସମ୍ବିଧାନର ଧାରା ୨୩୯ ଏଏ ଓ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ସଂସଦର ସାମ୍ବିଧାନିକ କ୍ଷମତାକୁ ଦୃଷ୍ଟିରେ ରଖି ବିଜେଡି ଏହି ପଦକ୍ଷେପକୁ ସମର୍ଥନ କରୁଛି ବୋଲି ସେ କହିଛନ୍ତି।

ବିଜେପିକୁ ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହା ଏକ ଶୁଦ୍ଧ ସାମ୍ବିଧାନିକ ପ୍ରସଙ୍ଗ, ଆଦୌ ରାଜନୈତିକ ନୁହେଁ। ବିଜେଡି ବିଜେପିକୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ। ବିଜେଡି କେବଳ ଦିଲ୍ଲୀ ଆଇନ ପ୍ରଣୟନ ପାଇଁ ସଂସଦର କ୍ଷମତାକୁ ସମର୍ଥନ କରୁଛି ବୋଲି ସସ୍ମିତ ପାତ୍ର କହିଛନ୍ତି।

ଗତ ସପ୍ତାହରେ ଲୋକସଭାରେ ଦଳର ଅନ୍ୟତମ ବରିଷ୍ଠ ସାଂସଦ ପିନାକୀ ମିଶ୍ର ମଧ୍ୟ ସମାନ କଥା କହିଥିଲେ। ବିଜେପି ବିଜେଡିର ପ୍ରମୁଖ ପ୍ରତିଦ୍ବନ୍ଦୀ ବୋଲି କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ହୋଇ ମଧ୍ୟ ବିମୁଦ୍ରାକରଣ, ଜିଏସଟି, ସିଏଏ, ତିନି ତଲାକ୍, ଆରଟିଆଇ ସଂଶୋଧନ, ଧାରା ୩୭୦ ଉଚ୍ଛେଦ ଭଳି ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଅନେକ ନିଷ୍ପତ୍ତି ଓ ନୀତିକୁ ବିଜେଡି ସମର୍ଥନ କରିଆସିଛି।

ସେହିପରି ମୋଦୀ ସରକାରଙ୍କ ବିରୋଧରେ ଅନେକ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବା ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଆଞ୍ଚଳିକ ଦଳ ଘୋଷଣା କରିଛି।

Comments are closed.