Latest Odisha News

ଓଡ଼ିଆ ନାମଫଳକ ବାଧ୍ୟତାମୂଳକ, ନମାନିଲେ ଗଣିବେ ୨୫ ହଜାର ଟଙ୍କା ତଣ୍ଡ

ଭୁବନେଶ୍ୱର: ଓଡ଼ିଆ ଭାଷାରେ ନାମ ଫଳକ ଲେଖୁନଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଯେଉଁମାନେ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଇଂରାଜୀରେ ନାମ ଫଳକ ଲେଖିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛି ଶ୍ରମ ବିଭାଗ ଓ ଓଡିଆ ଭାଷା ପ୍ରତିଷ୍ଠାନ। ଓଡ଼ିଆ ନାମ ଫଳକ ବାଧ୍ୟତାମୂଳକ କରାଯାଇଛି। ଏହାକୁ ନମାନିଲେ ୨୫ ହଜାର ଟଙ୍କା ତଣ୍ଡ ଗଣିବା ସହ ଦୌଡ଼ିବାକୁ ପଡିବ କୋର୍ଟ।

ଓଡିଆରେ ନାମଫଳକ ଲେଖିନଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ସହ ପ୍ରଥମେ ୫ ହଜାର ଟଙ୍କା ଫାଇନ୍ କରାଯାଉଛି। ଏହାପରେ ବି ଅଣଦେଖା କଲେ ଦ୍ୱିତୀୟଥର ପାଇଁ ୨୫ ହଜାର ଟଙ୍କା ଜରିମାନା ସହ କୋର୍ଟରେ ମାମଲା ରୁଜୁ ହେବ। ସାତ ଦିନିଆ ନୋଟିସ ନହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜୋରିମାନା ସହ ଲାଇସେନ୍ସ ରଦ୍ଦ କରାଯିବ ବୋଲି ପୂର୍ବରୁ ନୋଟିସ ବାହାରିଥିଲା। ଏହା ସତ୍ତ୍ୱେ ବି କିଛି ସଂସ୍ଥା ଏହାକୁ ଅଣଦେଖା କରିଛନ୍ତି।

ଗତ ମେ’ ମାସରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଉପରେ ଚଢ଼ାଉ ଆରମ୍ଭ କରିଦେଇଛି ଶ୍ରମ ବିଭାଗ ଓ ଓଡିଆ ଭାଷା ପ୍ରତିଷ୍ଠାନ। ରାଜଧାନୀ ଭୁବନେଶ୍ୱରର ୮ ବ୍ୟବସାୟିକ ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଛି। ଗତ ଦୁଇ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ୧୪୮ ବ୍ୟବସାୟିକ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ନୋଟିସ୍‌ ପାଇବା ପରେ ୬୧ ଟି ସଂସ୍ଥା ତୁରନ୍ତ ଓଡ଼ିଆରେ ନାମଫଳକ ଲେଖିଛନ୍ତି। ଅନ୍ୟ ୬ ସଂସ୍ଥା ଏହାକୁ ଅଣଦେଖା କରିଛନ୍ତି। ତେଣୁ ସେମାନଙ୍କ ନାଁରେ କୋର୍ଟରେ ମାମଲା ରୁଜୁ ହୋଇଛି। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରଙ୍କ ଅନୁଯାୟୀ, ହିତାଧିକାରୀ ଏବଂ ସ୍ମାରକପତ୍ର ସହିତ ଅନେକ ବୈଠକ ସତ୍ତ୍ୱେ ଓଡିଆ ସାଇନ୍ ବୋର୍ଡ୍ ଆଦର୍ଶର କାର୍ଯ୍ୟକାରିତା ସନ୍ତୋଷଜନକ ହୋଇପାରି ନାହିଁ। ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭକୁ ଜୋରଦାର କରାଯାଇଛି ଏବଂ ଏହି ପଦକ୍ଷେପ ଭଲ ଫଳାଫଳ ଦେବ ବୋଲି ସେ କହିଛନ୍ତି।

ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସୀୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି। ଏଥି ନିମିତ୍ତ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଦ୍ୱାରା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ ରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି। ଏଯାବତ ରାଜ୍ୟ ପୌରାଞ୍ଚଳରେ ମୋଟ ୫୨୦୦୦ ପଞ୍ଜୀକୃତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟରୁ ପ୍ରାୟତଃ ୪୭୦୦୦ ପ୍ରତିଷ୍ଠାନରେ ଓଡିଆର ନାମଫଳକ ଲେଖାଯାଇଛି। ୨୦୧୮ ମସିହା ଅପ୍ରେଲ ପହିଲାରୁ ସମସ୍ତ ନାମଫଳକ ଓଡ଼ିଆରେ ଲେଖିବାକୁ ନିୟମ ଲାଗୁ କରାଯାଇଥିଲେ ବି ଏ ପର୍ଯ୍ୟନ୍ତ ଅନେକ ପ୍ରତିଷ୍ଠାନ ଏଥି ପ୍ରତି ଧ୍ୟାନ ଦେଉନାହାଁନ୍ତି। ଦୀର୍ଘଦିନ ଧରି ସଚେତନ କରିବା ପରେ ମଧ୍ୟ କିଛି ସଂସ୍ଥା ଏହାକୁ ଅଣଦେଖା କରୁଛନ୍ତି। ତେଣୁ ଏ ଦିଗରେ ବର୍ତ୍ତମାନ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥିର କରିଛନ୍ତି ରାଜ୍ୟ ସରକାର।

Comments are closed.