Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଷାଠିଏ ପଉଟି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ରାଜଭୋଗ ପ୍ରସ୍ତୁତି ବିଷୟରେ ଆଲୋଚନା ଜାରି ରହିଛି। ଇତିହାସ କହେ ଗଙ୍ଗବଂଶର ରାଜାମାନେ, ବିଶେଷ କରି ଅନଙ୍ଗଭୀମ ଦେବ ତୃତୀୟ ଏହି ନୂତନ ଭୋଗର ପରିକଳ୍ପନା ହୋଇଥିଲା। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ପୂର୍ବରୁ ପ୍ରାୟ ୪୫୦ ପ୍ରକାରର ଭୋଗ ଦ୍ରବ୍ୟାଦି ସମେତ ଷାଠିଏ ପଉଟି ପରିମାଣ ଭୋଗ ନିତ୍ୟ ବଲ୍ଳଭ ଧୂପମାନଙ୍କରେ ନୈବେଦ୍ୟ ହେଉଥିଲା। ପରେ ସୂର୍ଯ୍ୟ ବଂଶର ରାଜା କପିଳେନ୍ଦ୍ର ଦେବ ତାଙ୍କ ରାଜତ୍ୱର ୪୧ ଅଙ୍କରେ ୧୪୦୦ ପ୍ରକାର ଭୋଗରାଗ ପ୍ରସ୍ତୁତି ନିମିତ୍ତ ଶ୍ରୀମନ୍ଦିର ମାଲିକାନାକୁ ବହୁ ପରିମାଣ ଜମି ଓ ଧନରତ୍ନ ଦାନ କରିଥିଲେ। ତାଙ୍କ ପୂର୍ବରୁ ମଧ୍ଯ ବଭିନ୍ନ ସମୟରେ ରାଜା ଓ ଧନୀ ବ୍ୟକ୍ତି ବିଶେଷମାନେ ହଜାର ହଜାର ବାଟି ଭୁସମ୍ପତି (ଅମୃତମଣୋହି ସମ୍ପତ୍ତି )ଦାନ କରିଥିଲେ। ଏହି ସମ୍ପତ୍ତି ସବୁ ଶ୍ରୀମନ୍ଦିର ପରିଚାଳନା ରେ ଜଡିତ ବ୍ୟକ୍ତିବିଶେଷ ଓ ବିଭିନ୍ନ ମଠ ବାଡ଼ି ମାନଙ୍କ ତତ୍ୱାବଧାନରେ ରହିଥିଲା। ବର୍ତ୍ତମାନ ପ୍ରାୟ ଅଧିକାଂଶ ସମ୍ପତ୍ତି ଜବର ଦଖଲ ହୋଇଗଲlଣି। କିନ୍ତୁ ଏହି ସମ୍ପତ୍ତିମାନଙ୍କରୁ ଯେତେବେଳେ ଧାନ ପ୍ରଭୃତି ଆଦାୟ ହୋଇ ଆସୁଥିଲା ସେତେବେଳେ ମାଦଳାପାଞ୍ଜି ପ୍ରକାରେ ଦୈନିକ ପ୍ରାୟ ସାତ ଭରଣ ଅର୍ଥାତ ୧୪୦ କିଲୋ ଚାଉଳରେ ଅନ୍ନ ପ୍ରସ୍ତୁତ ହେଉଥିଲା ସେହି ପରିମାଣ ଚାଉଳଚୁନାରେ ବିଭିନ୍ନ ପିଠା ଇତ୍ୟାଦି ପ୍ରସ୍ତୁତ ହେଉଥିଲା, ଯାହାର ସାମଗ୍ରିକ ପରିମାଣ ଷାଠିଏ ପଉଟି ବୋଲି କଥିତ ଅଛି। ପୁରୁଣା ହିସାବରେ ଗୋଟିଏ ପଉଟି ଅର୍ଥାତ କୋଡ଼ିଏ ଗଉଣି ଅର୍ଥାତ ପ୍ରତିଦିନ ୧୨୦୦ ଗଉଣି ଶସ୍ୟ ବ୍ୟବହାର ହେଉଥିଲା। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ପାଞ୍ଚ ଟନ (୫୦୦୦ କିଲୋଗ୍ରାମ )ହେବାର ଅନୁମାନ କାରାଯାଏ। କାରଣ ଗୋଟିଏ ଗଉଣିରେ ପ୍ରାୟ ୪.୫୦୦ କିଲୋଗ୍ରାମ ଚାଉଳ ରହିଥାଏ। ବିଭିନ୍ନ ମଠାନୁଷ୍ଠାନମାନଙ୍କ ପକ୍ଷରୁ ମଧ୍ଯ ଶହ ଶହ କିଲୋ ଅନ୍ନ ପ୍ରସାଦ ପ୍ରସ୍ତୁତ ହେଉଥିଲା। ପୂର୍ବରୁ ଏହି ଚାଉଳମାନଙ୍କ ମଧ୍ୟରେ ଥିଲା ପଦ୍ମକେଶରୀ, କୃଷ୍ଣଭୋଗ, କଳାଜିରି, ଭୂତିଆ, ଗୋଲାଭଣ୍ଡି, ସୁନାଖିଲ ଇତ୍ୟାଦି । ଯାହାର ବିକଳ୍ପ ରୂପେ ବର୍ତ୍ତମାନ ଜିରାରାଇସ, ବସୁମତି, ହଜାରେଚଉଦ, ଗୋବିନ୍ଦ ଭୋଗ, ଅଫିସର୍ସ ଚଏସ, ଜଗନ୍ନାଥ ଭୋଗ ଇତ୍ୟାଦି ସରୁ ଓ ବାସନା ଚାଉଳ ବ୍ୟବହାର ହେଉଛି। ପୂର୍ବ କାଳର ଢ଼ିଙ୍କି କୁଟା ବଗଡ଼ା ଚାଉଳ ଅଭାବରୁ ଏବେ ପ୍ରସାଦରେ ବଗଡ଼ା ଅନ୍ନ ଦେଖିବା ବିରଳ ହେଲାଣି। ଆଗାମୀ ଅଧ୍ୟାୟରେ ପୁଣି ଜାଣିବା ଏହି ରାଜ ଭୋଗ ବା କୋଠ ଭୋଗର ପରିମାଣ ଆଜିର ଦିନରେ କେତେ ଓ କି ପ୍ରକାର ରହିଛି । ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

“ଯାବତ ଆତ୍ମ ଜ୍ଞାନ ନାହିଁ
ସଂସାରେ ନିବୃତ୍ତି ତା କାହିଁ ।
ସର୍ପlଗ୍ନି ସ୍ତିରୀ ଯେ ଦୁର୍ଜନ
ବିଶ୍ୱାସ ନଯିବ ଏ ମାନ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.