ଝାରଖଣ୍ଡ: ଝାରଖଣ୍ଡ ଚାଇବାସା ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର । ଜଙ୍ଗଲରେ ଭିତରେ ଆତଙ୍କବାଦୀଙ୍କ ଷ୍ଟାଇଲରେ ବଙ୍କର ତିଆରି କରି ସୁରକ୍ଷାକର୍ମୀଙ୍କୁ ଚକମା ଦେଉଥିଲେ ମିଶିର ବିଶ୍ରା । ମିଶିର ବିଶ୍ରାର ବଙ୍କର ଠାବ କରିଛି ମିଳିତ ସେନା ବାହିନୀ । ମିଶିର ସିପିଆଇ ମାଓବାଦୀ ସଙ୍ଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ତଥା ପୂର୍ବାଞ୍ଚଳ ଜୋନ ପ୍ରମୁଖ । ଠାବ ହୋଇଥିବା ବଙ୍କର ମଧ୍ୟରୁ ଜବତ ହୋଇଛି ବହୁ ଅତ୍ୟାଧୁନିକ ମାରଣାସ୍ତ୍ର, ଖାଦ୍ୟ ସାମଗ୍ରୀ, ଔଷଧ ।
ଖବର ଅନୁସାରେ, ଗତ ୮ରୁ ୧୧ ତାରିଖ ଯାଏଁ ସିଆରପିଏଫ୍, ଝାଡ଼ଖଣ୍ଡ ପୁଲିସ, କୋବ୍ରା ବାହିନୀ ଓ ଝାଡ଼ଖଣ୍ଡ ଜାଗୁଆର ମିଳିତ ଅପରେସନ ଚଳାଇଥିଲେ । ଆଉ ସେହି ସର୍ଚ୍ଚ ଅପରେସନ ବେଳେ ବଙ୍କରକୁ ଧ୍ୱଂସ କରିଥିଲେ ସୁରକ୍ଷା ବାହିନୀ । ଏହି ସମୟରେ ବଙ୍କର ନିକଟରେ ଉଭୟ ସେନାବାହିନୀ ଓ ମାଓବାଦୀ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ପ୍ରାୟ ଅଧଘଣ୍ଟାର ଗୁଳି ବିନିମୟରେ ସହିଦ ହୋଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ।
ସୂଚନାଯୋଗ୍ୟ ଯେ, ଝାଡଖଣ୍ଡ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ରାଜ୍ୟ ପାଇଁ ମିଶିର ରହିଛି ମୋଷ୍ଟ ଓ୍ବାଣ୍ଟେଡ । ମିଶିର ମୁଣ୍ଡପାଇଁ ଏକ କୋଟି ଟଙ୍କାର ପୁରସ୍କାର ରହିଛି । ୨୦୧୮ ପୂର୍ବରୁ ଓଡ଼ିଶାରେ ମଧ୍ୟ ମିଶିର ମାଓବାଦୀ କାର୍ଯ୍ୟକଳାପ କରି ଆସୁଥିଲା । ସମ୍ବଲପୁର, ଦେବଗଡ, ସୁନ୍ଦରଗଡ ଡିଭିଜନ୍ ତିଆରି କରିଥିଲା । ଓଡ଼ିଶା ପୋଲିସ ପକ୍ଷରୁ ତା ମୁଣ୍ଡ ପାଇଁ ୨୦ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ତେବେ ଏହି କମ୍ବିଂ ଅପରେସନ ବେଳେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଜଙ୍ଗଲ ଛାଡି ମିଶିର ଅନ୍ୟ ରାଜ୍ୟକୁ ପଳାଇଯାଇଥିବା ସୂଚନା ରହିଛି । ଏନେଇ ସୀମାବର୍ତ୍ତି ରାଜ୍ୟମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ।
Comments are closed.