Latest Odisha News

BREAKING NEWS

ମାହାଙ୍ଗାରେ ନାବାଳିକାର ଶବ ବ୍ଯବଚ୍ଛେଦ ନହୋଇ ଅନ୍ତିମ ସଂସ୍କାର ଅଭିଯୋଗ, ଡିଜିପିଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର: ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

୨ ମାସ ତଳେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଗୋକନ ଗାଁର ପ୍ରମୋଦ ଦାସଙ୍କ ନାବାଳିକା ଝିଅ ସ୍ୱର୍ଣ୍ଣଲତା ଦାସ(୧୫)ଙ୍କ ମୃତ୍ୟୁ ହୋଇଥିଲା । ମୃତ ଶରୀରକୁ ଆଇନ ସମ୍ମତ ଶବ ବ୍ୟବଚ୍ଛେଦ ନକରି ପୋଡି ଦେଇ ପୋଲିସ ମାମଲାକୁ ରଫାଦଫା କରି ଦେଇଛି ବୋଲି ବିଜେପି ଅଭିଯୋଗ କରିଛି।

ଏହି ନାବାଳିକାର କେମିତି ମୃତ୍ୟୁ ହେଲା ସେ ନେଇ ମଧ୍ୟ ପୋଲିସ କୌଣସି ତଦାଘନା କରିନାହିଁ ବୋଲି ବିଜେପି ଅଭିଯୋଗ କରିଛି। ମୃତ ନାବାଳିକାର ସେହି ସ୍କୁଲର ଖେଳ ଶିକ୍ଷକଙ୍କ ସହ ଥିବା ସଂପର୍କକୁ ଝିଅର ପରିବାର ବିରୋଧ କରିଥିଲେ ଏବଂ କିଛି ଦିନ ପରେ ହଠାତ୍ ସେହି ଝିଅର ମୃତ୍ୟୁ ହୋଇଥିଲା। ଝିଅର ମୃତ୍ୟୁ ସଂପର୍କରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜଣକ ତାଙ୍କ ସ୍ୱାମୀ ଯିଏକି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏବଂ ବର୍ତମାନ ଉକ୍ତ ବିଦ୍ୟାଳୟର ସଂପାଦକ ଶରତ ନାୟକଙ୍କୁ ଅବଗତ କରାଇଥିଲେ। ମାମଲାକୁ ରଫାଦଫା କରିବାକୁ ଯାଇ ଶ୍ରୀ ନାୟକ ପୋଲିସ, ଗଣମାଧ୍ୟମ, ମଣ୍ଡଳ ଅଧିକାରୀଙ୍କୁ ପ୍ରଭାବିତ କରି ବିନା ମୃତ ନାବାଳିକା ଝିଅର ଶବକୁ ପୋଷ୍ଟମର୍ଟମ ନକରି ଜନସାଧାରଣଙ୍କ ଅଜ୍ଞାତରେ ଶବଦାହ କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସମସ୍ତ ତଥ୍ୟ ଓ ପ୍ରମାଣ ନଦୀରେ ଭସାଇ ଦେଇଛନ୍ତି ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛି।

ମୁଖ୍ୟ ଅଭିଯୁକ୍ତ ଉକ୍ତ ଖେଳ ଶିକ୍ଷକଙ୍କ ମା’ଙ୍କୁ ଫୋନ କରି ଖର୍ଚ୍ଚ ବାବଦରେ ୭୦ ହଜାର ଟଙ୍କା ଦାବି କରିଥିଲେ । ଏହି ବାର୍ତାଳପର ଏକ ଅଡିଓ କ୍ଲିପ ଘଟଣାର ୨ ମାସ ପରେ ସାର୍ବଜନୀନ ହେବା ପରେ ଏ ସମସ୍ତ ଘଟଣା ବର୍ତମାନ ସାମ୍ନାକୁ ଆସିଛି । ଅପମୃତ୍ୟୁ ହୋଇଥିବା ନାବାଳିକା ଝିଅର ବିନା ପୋଷ୍ଟମର୍ଟମରେ ଶବସତ୍କାର କରାଯିବା ସଂପୂର୍ଣ୍ଣ ବେଆଇନ ବୋଲି ରାଜ୍ୟ ଉପସଭାପତି ଲେଖାଶ୍ରୀ କହିଛନ୍ତି ।

ଅନ୍ୟପଟେ ଶରତ ନାୟକ ଯିଏକି ଶାସକ ବିଜେଡିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏବଂ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ଅତ୍ୟନ୍ତ ଘନିଷ୍ଟ ସହଯୋଗୀ । ବହୁଚର୍ଚ୍ଚିତ ମାହାଙ୍ଗା କ୍ୱାଡ୍ରପଲ୍ ମର୍ଡର ଘଟଣାର ମୁଖ୍ୟ ସାକ୍ଷୀ କାବୁଆ ହତ୍ୟାକାଣ୍ଡରେ ସନ୍ଦେହ ଘେରରେ ଶରତ ନାୟକ ଅଛନ୍ତି। ମୃତ୍ୟୁ ପୁର୍ବରୁ କାବୁଆକୁ ଶରତ ନାୟକ ବହୁ ଥର କଲ୍ କରିଥିଲେ। ଏହି ଘଟଣାକୁ ଚାପି ଦେବା ପାଇଁ ସ୍ଥାନୀୟ ବିଧାୟକ ପ୍ରତାପ ଜେନା ଚାପ ପକାଉଛନ୍ତି ଏବଂ ଏହି କାରଣରୁ ନାବାଳିକାର ପରିବାର ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ବୋଲି ବିଜେପି ଦାବି କରିଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ନାବାଳିକା ହତ୍ୟାକାଣ୍ଡର ସମସ୍ତ ଗୁପ୍ତ ତଥ୍ୟ ଲୋକଲୋଚନକୁ ଆଣିବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଦାବି କରିଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

Comments are closed.