Latest Odisha News

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଣୟନ କରିଥିବା “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାରେ ପଞ୍ଚାୟତ ଅନୁଷ୍ଠାନ ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସଂଶ୍ଳିଷ୍ଟ କରା ଯାଉନାହିଁ । ଏହି ଯୋଜନା ମୁତାବକ ପ୍ରତି ପଂଚାୟତରେ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ବ୍ୟବସ୍ଥା ଥିଲାବେଳେ ଗ୍ରାମ ସଭା, ପଂଚାୟତ ରାଜ ଅନୁଷ୍ଠାନ ଓ ପଂଚାୟତ ପ୍ରତିନିଧିମାନଙ୍କୁ ଆଦୌ ସଂଶ୍ଳିଷ୍ଟ କରାଯାଇ ନାହିଁ । ଅନୁସୂଚିତ ଅଂଚଳରେ କୌଣସି ବିକାଶ ମୂଳକ କାର୍ଯ୍ୟ ଗ୍ରାମସଭାର ବିନା ଅନୁମୋଦନରେ ହୋଇପାରିବ ନାହିଁ । ମାତ୍ର ଏହି ଯୋଜନାରେ ଏଥିପ୍ରତି ଭୃକ୍ଷେପ କରାଯାଇନାହିଁ । ଏହା ସମ୍ବିଧାନ ବିରୋଧି, ପଂଚାୟତ ବ୍ୟବସ୍ଥା ପ୍ରତି ଉପହାସ ଓ ପଂଚାୟତ ପ୍ରତିନିଧିଙ୍କୁ ପ୍ରତାରଣା ସଦୃଶ । ଏହା ବିରୋଧରେ ଆସନ୍ତା ୨୯ ତାରିଖରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ତରଫରୁ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି ।

ସଂଗଠନର ରାଜ୍ୟ ସଭାପତି ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ରାଜ୍ୟ ସରକାରଙ୍କର ପଂଚାୟତ ବିରୋଧି କାର୍ଯ୍ୟକଳାପର ଦୃଢ଼ ବିରୋଧ କରିଥିଲେ । କଂଗ୍ରେସ ସରକାର ସମୟରେ ପଂଚାୟତରାଜକୁ କ୍ଷମତା ଦେଇ ତୃଣମୂଳ ସ୍ତରରେ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଥିଲା । ମାତ୍ର ବର୍ତ୍ତମାନର ବିଜେଡ଼ି ସରକାର ଏହାକୁ ଅବମାନନା କରିଚାଲିଛନ୍ତି ।

ଏହି ସମ୍ମିଳନୀରେ ସଂଗଠନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହର୍ଷବଦ୍ଧନ ସପକାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶରେ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ରାଜୀବ ଗାନ୍ଧୀଙ୍କର ଅବଦାନ ଏବଂ ଦେଶରେ ୭୩ତମ ସମ୍ବିଧାନ ସଂଶୋଧନ ଆଇନ ଆଣିବା କ୍ଷେତ୍ରରେ କଂଗ୍ରେସର ଭୂମିକା ବିଷୟରେ ଅବତାରଣ କରିଥିଲେ । ସଂଗଠନର ରାଷ୍ଟ୍ରୀୟ ଆବାହକ ତଥା ଓଡ଼ିଶା ପ୍ରଭାରୀ କୁନାଲ ବାର୍ନାଜୀ ଦେଶରେ ପଂଚାୟତ ପ୍ରତିନିଧି ମାନଙ୍କର ଏକ ସଂଗଠନ ହିସାବରେ ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ କିଭଳି କାମ କରୁଛି ସେ ବିଷୟରେ ବର୍ଣ୍ଣନା କରିଥିଲେ ।

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦେଶର ପଂଚାୟତରାଜ ବ୍ୟବସ୍ଥା ରାଜୀବ ଗାନ୍ଧୀଙ୍କ ଅବଦାନ କହିବା ସହିତ ଏହି ବ୍ୟବସ୍ଥା ବର୍ତ୍ତମାନର ବିଜେଡ଼ି ସରକାର ଅମଳରେ ତାର ଗୁରୁତ୍ୱ ହରାଇ ସାରିଛି । କଂଗ୍ରେସ କ୍ଷମତାକୁ ଆସିଲେ ପଂଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବାର ପ୍ରଚେଷ୍ଟା କରାଯିବ ବୋଲି ସେ କହିଥିଲେ । କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ତୃଣମୂଳ ସ୍ତରରେ ପଂଚାୟତ ବ୍ୟବସ୍ଥା ବିକାଶର ଚାବିକାଠି । ଏହାକୁ ରାଜ୍ୟ ସରକାର ଗୁରୁତ୍ୱ ନଦେବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସରପଂଚ ମାନଙ୍କୁ ଜିଲ୍ଲାପାଳର କ୍ଷମତା ଦେବା କହି ସେମାନଙ୍କୁ ବିଡିଓ, ଜେଇ ଓ ପଂଚାୟତ ଅଧିକାରୀ ମାନଙ୍କର ଅଧସ୍ଥନ ବନାଇଦେବା ଦୁଭାର୍ଗ୍ୟଜନକ ବୋଲି କହିଥିଲେ ।

ଏଥିରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଅନନ୍ତ ସେଠୀ, ଗଣେଶ୍ୱର ବେହରା, ବିଧାୟକ ସୁରେଶ କୁମାର ରାଉତରାୟ, ଉମାବଲ୍ଲଭ ରଥ, ଭୂଜବଳ ମାଝୀ, ନିମାଇ ସରକାର, ବିସ୍ମୟ ମହାପାତ୍ର, ବିଜୟ ପ୍ରଧାନ, ନିରଦ ବରଣ ଖୁଂଟିଆ, ଲବ କୁମାର ସାହୁ, ରୂପକ ତୁରକ, ଗଣେଶ ସାହୁ, ପ୍ରଦ୍ୟୁମ୍ନ ଦାସ, ସ୍ୱାଗତିକା ପଟ୍ଟନାୟକଙ୍କ ସମେତ ରାଜ୍ୟର ୩୦ ଟି ଜିଲ୍ଲାର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଯୋଗ ଦେଇଥିଲେ ।

 

Comments are closed.