Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଅକ୍ଟୋବର ସୁଦ୍ଧା ଦିବ୍ୟାଙ୍ଗଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା-ସମୀକ୍ଷା ବୈଠକରେ ନିଷ୍ପତ୍ତି

ପୁରୀ: ଅକ୍ଟୋବର ସୁଦ୍ଧା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇ ଭକ୍ତଙ୍କ ପାଇଁ ବ୍ୟବହାର ଉପଯୋଗୀ କରାଯବ । ଶ୍ରୀମନ୍ଦିର ଚାରିଦ୍ଵାର ଭକ୍ତଙ୍କ ପାଇଁ ଖୋଲାଯିବ । ଅକ୍ଟୋବର ସୁଦ୍ଧା ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା   ସମୀକ୍ଷା ବୈଠକରେ ଏଭଳି  ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ କିପରି ସୁବ୍ୟବସ୍ଥା ହୋଇପାରିବ ସେ ନେଇ ଆଜିର ବୈଠକରେ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଯାତ୍ରୀ ପରିକ୍ରମା ପ୍ରକଳ୍ପରେ ଭକ୍ତଙ୍କ ପାଇଁ ୯ ଟି ପ୍ରବେଶ ପଥ ରହିବ। ସେହିପରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶ୍ବରେ ଓ ଏମାର ମଠ ନିକଟରେ ଦୁଇଟି ସ୍ଥାନରେ ୩ ହଜାର ଭକ୍ତଙ୍କ ପାଇଁ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ। ରଘୁନନ୍ଦନ ଲାଇବ୍ରେରୀ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି।

ଗୋପାଳତୀର୍ଥ ମଠ ଓ ନାରାୟଣୀ ମନ୍ଦିରର ପୁନରୁଦ୍ଧାର କରାଯିବ । ଶ୍ରୀମନ୍ଦିର ଭିତରେ ଓ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏକ ଏଜେନ୍ସି ସହ ଆଲୋଚନା କରାଯାଇଛି। ଷ୍ଟାଫ କ୍ୱାର୍ଟର ମାର୍କେଣ୍ଡଶ୍ୱର ସାହିରେ ହେବ । ସେହିପରି ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି। ଯାତ୍ରୀ ପରିକ୍ରମା ପ୍ରକଳ୍ପ ଦ୍ବାରା ପ୍ରଭାବିତ ହୋଇଥିବା ୧୮ଟି ମଠ ଓ ଦୁଇଟି ମନ୍ଦିରର ମଧ୍ୟ ବିକାଶ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ।

ବୈଠକରେ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆବାସ ଯୋଜନା ,ଜେଟିପି ପୋଲିସଙ୍କ ପାଇଁ ବ୍ୟାରାକ୍,ଦିବ୍ୟାଙ୍କ ଭକ୍ତଙ୍କ ନିମନ୍ତେ ପୂର୍ବ ପରି ରାମ୍ପ ଓ  କିମ୍ବା ଅନ୍ୟ କଣ ବିକଳ୍ପ ବ୍ୟବସ୍ଥା କରାଯିବ ସେ ନେଇ ତର୍ଜମା କରାଯାଇଥିଲା ।  ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ସମେତ ଓବିସିସି ମ୍ୟାନେଜର ପ୍ରଭାତ କୁମାର ପାଣିଗ୍ରାହୀ,  ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୂର୍ଗା ଦାସ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

 

Comments are closed.