ଦିଲ୍ଲୀ : ଭାରତ ସରକାର ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇବା ପରେ ବିଶ୍ବବ୍ୟାପୀ ଚାଉଳ ମହଙ୍ଗା ହେବାରେ ଲାଗିଛି । ଆଫ୍ରିକା ମହାଦେଶରୁ ଆରମ୍ଭ କରି ଏସିଆର ଅଧିକାଂଶ ଦେଶରେ ଚିନ୍ତା ବଢିଯାଇଛି । ଗତ କିଛି ବର୍ଷ ହେବ କେନିଆରେ ମରୁଡି ପରିସ୍ଥିତି ସୃଷ୍ଟି ହେବା ସହ ସାର ମୂଲ୍ୟ ବୃଦ୍ଧି ଯୋଗୁଁ ଧାନ ଚାଷ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି । ଚାଉଳ ଅଭାବ କାରଣରୁ ଏହି ଦେଶ ଭାରତରୁ ଚାଉଳ ଆମଦାନୀ କରୁଥିଲା । ମାତ୍ର ଭାରତ ସରକାର ଅଣ ବାସୁମତି ଧଳା ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇବା ପରେ କେନିଆ ଦେଶ ଚିନ୍ତାରେ ପଡିଛି । ସେଠାରେ ପାଇକାରି ବିକ୍ରେତା ଚାଉଳ ପାଉନାହାନ୍ତି । ଖୁଚୁରା ବଜାରରେ ଦିନକୁ ଦିନ ବଢିବାରେ ଲାଗିଛି ଚାଉଳ ଦାମ୍ । ଭାରତର କଟକଣା ପରେ ସାରା ବିଶ୍ବରେ ପାଖାପାଖି ୯.୫ ନିୟୁତ ଚାଉଳର ଅଭାବ ଦେଖାଦେଇଛି ।
ତେବେ ଆଗକୁ ଚାଉଳ ଅଭାବ ଦେଖାଯିବାର ଆଶଙ୍କା ଥିବାରୁ ବହୁ ଦେଶ ଆଗୁଆ ଚାଉଳ କିଣି ମହଜୁଦ ରଖୁଛନ୍ତି । ୟୁଏଇ ମଧ୍ୟ ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇଛି । ଏସିଆରେ ୯୦ ପ୍ରତିଶତ ଧାନ ଚାଷ ହେଉଥିବାବେଳେ ସେତିକି ପରିମାଣର ବ୍ୟବହାର ମଧ୍ୟ ହେଉଛି । ତେବେ ବର୍ତ୍ତମାନ ସ୍ଥିତିରେ ଭାରତର ପରବର୍ତ୍ତୀ ପଦକ୍ଷେପ ଉପରେ ସାରା ବିଶ୍ବର ନଜର ରହିଛି । ସେପଟେ ଘଟଣାକୁ ନେଇ ଖାଦ୍ୟ ସଚିବ କହିଛନ୍ତି ଆମର ସେଭଳି କୌଣସି ଯୋଜନା ନାହିଁ । ବର୍ତ୍ତମାନ ଉଷୁନା ଚାଉଳ ରପ୍ତାନୀ ଉପରେ କୌଣସି କଟକଣା ଲଗାଯାଇନି । ତେଣୁ କୂଟନୈତିକ ବାଟ ଦେଇ ରୁଷରୁ ଗହମ ଆମଦାନୀ କରିବା ପାଇଁ ମଧ୍ୟ କୌଣସି ଯୋଜନା ନାହିଁ ।
Comments are closed.