Latest Odisha News

BREAKING NEWS

ସାରା ଦେଶକୁ ଘାରିଛି ଚନ୍ଦ୍ରୟାନ ଫିଭର: ସଫଳତା ପାଇଁ ସବୁଠି ଚାଲିଛି ଯଜ୍ଞ ଓ ନମାଜ ପାଠ

ଦିଲ୍ଲୀ: ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ନରମ ଅବତରଣ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବାପାଇଁ ସମଗ୍ର ଦେଶ ଅପେକ୍ଷା କରି ରହିଛି। ଆଜି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଇତିମଧ୍ୟରେ ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପାଇଁ ଦେଶ ବିଦେଶରେ ଚାଲିଛି ପୂଜାର୍ଚ୍ଚନା   । ଇସ୍ରୋର ଐତିହାସିକ ମିଶନର ସଫଳତା ପାଇଁ ପୁରାଦେଶ ଅପେକ୍ଷା କରିଥିବା ବେଳେ ଆମେରିକା ନ୍ୟୁଜର୍ସିରେ ଶ୍ରୀ ବାଲାଜୀ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି  । ଭାରତୀୟ ସମୁଦାୟ ଏକାଠି ହୋଇ ମନ୍ଦିରରେ ପୂଜାର୍ଚ୍ଚନା କରି ଚନ୍ଦ୍ରଯାନର ସଫଳତା କାମନା କରିଛନ୍ତି ।

ସେହିପରି ବ୍ରିଟେନରେ ମଧ୍ୟ ଭାରତୀୟ ସମୁଦାୟ ପୂଜାର୍ଚ୍ଚନା କରିଛନ୍ତି । ସେହିପରି ବାରାଣାସୀରେ ମଧ୍ୟ ହୋମଯଜ୍ଞ କରାଯାଇଛି । ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ମଧ୍ୟ ଯଜ୍ଞ କରାଯାଉଛି। ବନାରସର କାମାକ୍ଷା ମନ୍ଦିରରେ ଯଜ୍ଞ କରାଯାଉଥିବାବେଳେ ଲକ୍ଷ୍ନୌର ଇସ୍‌ଲାମିକ ସେଣ୍ଟର ଅଫ୍ ଇଣ୍ଡିଆରେ ଲୋକେ ନମାଜ ପଢୁଛନ୍ତି। ଅନ୍ୟପଟେ  ମୁମ୍ବାଇରେ ଶିବସେନା ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଚନ୍ଦ୍ରଯାନର ସଫଳତା ପାଇଁ ପୂଜାର୍ଚ୍ଚନା କରାଯାଇଛି । ପ୍ରୟାଗରାଜରେ ବି ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପାଇଁ ହୋମଯଜ୍ଞ କରାଯାଇଛି । ଭୋପାଳର ବୈଷ୍ଣୋଧାମ ଆଦର୍ଶ ନବଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନ ସହ ଜଳ ଲାଗି କରାଯାଇଛି ।

ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫ୍ଟଲ୍ୟାଣ୍ଡିଂ କରିବାରେ ସଫଳ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି। ସମୟ ସମୟରେ ଚନ୍ଦ୍ରଯାନର ସବୁ ସିଷ୍ଟମକୁ ଯାଞ୍ଚ କରାଯାଉଛି। ସବୁ କିଛି ଭଲଭାବେ କାମ କରୁଛି। ଲ୍ୟାଣ୍ଡର ଅବତରଣ ପାଇଁ ପ୍ରସ୍ତୁତ ହୋଇରହିଛି। ଏହି ଅଭିଯାନ ସଫଳ ହେଲେ ଭାରତ ଚନ୍ଦ୍ର ବିଜୟ କରିଥିବା ବିଶ୍ବର ଚତୁର୍ଥ ରାଷ୍ଟ୍ର ହୋଇଯିବ।

Comments are closed.