Latest Odisha News

BREAKING NEWS

ଜି -୨୦ ସମ୍ମିଳନୀକୁ ନେଇ ଦିଲ୍ଲୀରେ ତିନି ଦିନିଆ ଛୁଟି ଘୋଷଣା : ଜାଣନ୍ତୁ କଣ ଖୋଲା ରହିବ ଓ କ’ଣ ବନ୍ଦ ହେବ ?

ନୂଆଦିଲ୍ଲୀ: ଆସନ୍ତା ମାସରେ ଦେଶର ରାଜଧାନୀ ଦିଲ୍ଲୀରେ ଜି -୨୦ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଦୁନିଆର ବହୁ  ପ୍ରଭାବଶାଳୀ ନେତାମାନେ ଦିଲ୍ଲୀରେ ଏକାଠି ହେବେ। ଏଭଳି ପରିସ୍ଥିତିରେ ରାଜଧାନୀ ଦିଲ୍ଲୀରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତିନି ଦିନ ଧରି ୮ ସେପ୍ଟେମ୍ବରରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ। ଏହା ବ୍ୟତୀତ ସମସ୍ତ ସ୍କୁଲ, ଏମସିଡି କାର୍ଯ୍ୟାଳୟ ଏବଂ ବ୍ୟାଙ୍କ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସମେତ ଦିଲ୍ଲୀର ବଜାର ମଧ୍ୟ ବନ୍ଦ ରହିବ।

ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀକୁ ଦୃଷ୍ଟିରେ ରଖି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏହି ତିନି ଦିନିଆ ସାଧାରଣ ଛୁଟିକୁ ମଞ୍ଜୁର କରିଛନ୍ତି। ପୋଲିସ କହିବା  ଅନୁଯାୟୀ ଜି-୨୦ ସମ୍ମିଳନୀ ପାଇଁ ସେପ୍ଟେମ୍ବର ୮ ରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ସାଧାରଣ ଛୁଟି ଘୋଷଣା କରିବାକୁ ଦିଲ୍ଲୀର ମୁଖ୍ୟ ସଚିବଙ୍କୁ ଦିଲ୍ଲୀ ପୋଲିସ ଅନୁରୋଧ କରିଥିଲା ।

ଜି -୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ତିନି ଦିନିଆ ଛୁଟି ସମୟରେ ସମସ୍ତ ଘରୋଇ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ। ଦିଲ୍ଲୀ ପୋଲିସର ନୂଆଦିଲ୍ଲୀ ଜିଲ୍ଲା ଅଧୀନରେ ଥିବା ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବା ସହିତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ।

ଜରୁରି ସୁଚନା:

୧. ଏହି ତିନିଦିନିଆ ଛୁଟି ଭିତରେ ଅତ୍ୟାବଶ୍ୟକ ସେବା ବ୍ୟତୀତ କୌଣସି ଭାରୀ ଯାନ ମଧ୍ୟ ସହରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ।
୨. ନୂଆଦିଲ୍ଲୀ ଜିଲ୍ଲାକୁ ଟ୍ୟାକ୍ସି ଏବଂ ଅଟୋ ମଧ୍ୟ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।
୩. ମଥୁରା ରୋଡ୍, ଭୌରେନ୍ ରୋଡ୍, ପୁରାନା କିଲା ଏବଂ ପ୍ରଗତି ମଇଦାନ ଟନେଲରେ କୌଣସି ଗାଡି ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ |
୪. ଧୌଲାକୁଆଁ ଆଡକୁ ଏନ୍ ଏଚ୍ ୪୮ରେ କୌଣସି ଯାନବାହନ ଚଳାଚଳ ହେବ ନାହିଁ ।
୫. ମାଲ୍ ବୁହା ଗାଡ଼ି ଏବଂ ବସ୍ ବ୍ୟତୀତ ସମସ୍ତ ଯାନକୁ ରାଜୋକରୀ ସୀମା ଦେଇ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ।
୬. ଦିଲ୍ଲୀ ମେଟ୍ରୋରେ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନରେ କୌଣସି ପ୍ରକାର ଯାତାୟତ ପାଇଁ ଅନୁମତି ଦିଆଯିବ ନାହିଁ।

ସୁଚନା ଥାଉ କି, ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଜି -୨୦ ସମ୍ମିଳନୀ ଅନୁଷ୍ଠିତ ହେବ । କିନ୍ତୁ ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଦେଶୀ ସଦସ୍ୟ ଓ ଅତିଥିମାନେ ଏଥିରେ ଭାଗ ନେବା ପାଇଁ ସେପ୍ଟେମ୍ବର ୮ ତାରିଖରୁ ରାଜଧାନୀ ଦିଲ୍ଲୀରେ ପହଞ୍ଚିବା ଆରମ୍ଭ କରିବେ।

Comments are closed.