ରାମକୃଷ୍ଣ
ଏ ଘର କେବଳ ମୋର ନୁହେଁ
ଅନେକନଙ୍କର , ପ୍ରାୟ ସମସ୍ତଙ୍କର
ଠିକ୍ ଘର ନୁହେଁ ତ ଏକ ପାନ୍ଥଶାଳା
ମଣିଷ ପାଇଁ ନୁହେଁ କେବଳ
ପଶୁ ପକ୍ଷୀ ସଭିଁକ ପାଇଁ
ଝରକା କବାଟ ସବୁବେଳେ ଖୋଲା ମେଲା
ଇଟା ସିମେଣ୍ଟ ଛଡରେ ନୁହେଁ
ରକ୍ତ ମାଂସ ହାଡରେ ତିଆରି ଏଘର
ସମସ୍ତଙ୍କ ସବୁ ଇଚ୍ଛା ପାଇଁ ଜାଗା ଅଛି ଏଠି
ଆହାର ନିଦ୍ରା ମୈଥୁନ ପାଇଁ ଅଛି ବ୍ୟବସ୍ଥା
ଗ୍ରନ୍ଥାଗାର ଅଛି, ଗୀତ ଓ କବିତାର
ଆସର ପାଇଁ ଅଛି ପ୍ରେକ୍ଷାଗାର
ଆସିବା ପାଇଁ ଖୋଲା ଅଛି ଏନ୍ତୁଡ଼ି ଦ୍ବାର
ଫେରିଯିବା ପାଇଁ ଉନ୍ମୁକ୍ତ ଶ୍ମଶାନ
ପ୍ରେମ ପାଇଁ ଅଛି ଅଗଣିତ ହୃଦୟ
ଏତେ ବେଶି ବଡ ନୁହେଁ ଏ କୁଟୀର
ତଥାପି କାନ୍ଥ ସାରା ଜାଗା ଅଛି
ଖେତ ଜଙ୍ଗଲ ନଦୀ ଓ ପାହାଡ ପାଇଁ
ସମୁଦ୍ର ପାଇଁ ଜାଗା ଅଛି ଚଟାଣ ସାରା
ଆକାଶ ଓ ନକ୍ଷତ୍ର ମଣ୍ଡଳ ପାଇଁ ଅଛି ଛାତ
ଆଉ ଈଶ୍ବରଙ୍କ ପାଇଁ ଅଛି ଘରର ନାମଫଳକ
ନା, ମୁଁ ନୁହେଁ ଏଘରର ମାଲିକ
ମୁଁ ବୋଲି କେହି ନାହାନ୍ତି ଏ ଘରେ
ମୁଁ କେବଳ ଜଗୁଆଳ ମାତ୍ର
ରାତିକର ରହଣି ମୋର
ସକାଳକୁ ବିଦାୟ ।
Comments are closed.