Latest Odisha News

BREAKING NEWS

କବିତା : ବିଶେଷ ଦ୍ରଷ୍ଟବ୍ୟ

ମୌସୁମୀ ଦାସ୍ 

ଛୋଟ ବଡ଼
ଓ ଉପଖବରମାନଙ୍କ ଭିଡ଼ ଭିତରୁ
ଥରେ ଥରେ ଆଖି ଓଟାରିଯାଏ
ଖୁବ୍ ଛୋଟ ଧାଡ଼ିକିଆ
ହରଫ୍ ଆଡ଼କୁ
ବିଜୁଳିଟେ ଆକସ୍ମିକ ଚିକ୍ ମାରିଲା ପରି
ସେଇ ହିଁ ଥାଏ ମୂଳଖବର
ସାରାଦିନ ଆଲୋଚନା ପାଇଁ।

ସହର ଭର୍ତ୍ତି ଧୁନ୍ଧୁଳିଆ ଅନ୍ଧାରକୁ ଘେରି
କଳାକାରବାରର ବଳୟ
ଖୋଲା ବଜାରରେ ମାପ ଚାଲିଥାଏ
କ°ସେଇର ପାରଗପଣର ଆଲେଖ୍ୟ
ଯତୁଗୃହର ରଙ୍ଗରେ ଆଚ୍ଛନ୍ନ ମଣିଷ
ଜଳିବାର ଆସନ୍ନପ୍ରମାଦ ଭୁଲି
ପ୍ରମୋଦୋଦ୍ୟାନରେ ମତ୍ତ।

ସେଦିନ ହାତରେ ଖଣ୍ଡେ ଲାଠି
ଓଠରେ ସତ୍ୟର ଧାରେ ହସ ନେଇ
ସେ ଯେଉଁ ଫକୀର
ଅହିଂସାର ଜୟ ଆଣିଦେଲେ
ରାତି ପାହିଲାବେଳକୁ
ଦି ଫାଳ ମାଟି କରୁଥିଲା ରକ୍ତସ୍ନାନ
ଜଳୁଥିଲା ଅସହିଷ୍ନୁ ନିଆଁ ତଳ ଉପର ।

ଆଜି ବି କୁହୁଳୁଛି ସେ ନିଆଁ
ରାଜନୀତିର ହସ୍ତିନାପୁରରେ
ସିଂହାସନର ପଶାକାଠିରେ
କଚେ ପୋ ବାର ଦାବରେ
ମୁଣ୍ଡ ପୋତି ବନବାସ ଭୋଗୁଛି
ସତ୍ୟ
ଶକୁନିର କୁଟିଳ ହସରୁ ସବଂଶ ନାଶର ଶକୁନ।

ଆଜିର ବିଶେଷ ଦ୍ରଷ୍ଟବ୍ୟ
ଗାଢ଼ ଅକ୍ଷରର ହରଫ୍ ରେ…
ବାକି ରହିଥିବା
ଅନ୍ତିମ ଅଢ଼େଇ ଦିନର ଯୁଦ୍ଧ…
ଅପେକ୍ଷାରେ
ଏବେ ଅବଶିଷ୍ଟ ବିଶ୍ଵ।

Comments are closed.