ଭୁବନେଶ୍ୱର: ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳକୁ ଲଗାତାର ଘେରୁଛନ୍ତି ବିରୋଧୀ ଦଳ। ବର୍ତ୍ତମାନ ଜାଗା ମିଶନକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ନିର୍ବାଚନ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ନକଲି ଲ୍ୟାଣ୍ଡ ରେକର୍ଡ ସାର୍ଟିଫିକେଟ ବାଣ୍ଟୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଶିକ୍ଷିତ ଲୋକଙ୍କ ଭୋଟ ଭାରତୀୟ ଜନତା ପାର୍ଟି ସହିତ ଅଛି, ଯଶ୍ୱସୀ ନରେନ୍ଦ୍ର ମୋଦୀଙ୍କ ସହିତ ଅଛି ତେଣୁ ସହରାଞ୍ଚଳରେ ବିଜେଡିକୁ ଭରଷା ବସ୍ତି ବାସିନ୍ଦାଙ୍କ ଭୋଟ। ଭୁବନେଶ୍ୱରରେ ଯଦି ବସ୍ତି ବାସିନ୍ଦାମାନେ ବିଜେଡିକୁ ଭୋଟ ଦେବେ ନାହିଁ ତାହେଲେ ଭୁବନେଶ୍ୱରରେ ବିଜେଡି ୧୦ ପ୍ରତିଶତ ଭୋଟ ମଧ୍ୟ ପାଇବ ନାହିଁ। ତେଣୁ କେବଳ ବସ୍ତି ବାସିନ୍ଦାଙ୍କ ଭୋଟ ପାଇବା ପାଇଁ ଠିକ ନିର୍ବାଚନ ଆଗରୁ ଏହି ପଟ୍ଟା ବଣ୍ଟା ନାଟକ କରୁଛନ୍ତି ସରକାର।
ନିର୍ବାଚନ ଆସିଲେ କେବଳ ନବୀନ ବାବୁଙ୍କର ବସ୍ତିବାସିନ୍ଦାଙ୍କ କଥା ମନେପଡେ। ୨୩ ବର୍ଷରେ ନବୀନ ବାବୁ ବସ୍ତିରେ ଗରିବ ଲୋକମାନେ କିଭଳି ରୁହନ୍ତି କେବେ ଥରେ ହେଲେ ବି ବୁଲିକି ଦେଖିଛନ୍ତି କି? କେମିତି ତାଙ୍କ ପ୍ରଶାସନ, ତାଙ୍କ ଦଳର କୁଜି ନେତାମାନେ ବସ୍ତିବାସିନ୍ଦାଙ୍କ ଉପରେ ଜୁଲମ କରନ୍ତି ବୋଲି ମନମୋହନ ସାମଲ କହିଛନ୍ତି। ଭୁବନେଶ୍ୱରରେ ବସ୍ତି ବାସିନ୍ଦାଙ୍କ ପାଇଁ ବାସଗୃହ ନିର୍ମାଣ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଥରେ ନୁହେଁ ଦୁଇ ଦୁଇ ଥର ଶୁଭ ଦେଇଛନ୍ତି। କିନ୍ତୁ ତାହା ସବୁ କେବଳ ଫଟୋ ଆଉ ଖବର କାଗଜରେ ସୀମିତ ହୋଇଛି। ଗୋଟିଏ ପ୍ରକଳ୍ପକୁ ବାରମ୍ବାର ଶୁଭ ଦେବା, ଗୋଟିଏ ଯୋଜନାକୁ ବାରମ୍ବାର ଘୋଷଣା କରିବାରେ ନବୀନ ବାବୁ ଦେଶରେ ଏକ ନମ୍ବର ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ଏବେ ସହରାଞ୍ଚଳରେ ବସ୍ତି ବାସିନ୍ଦାମାନଙ୍କୁ ଯେଉଁ କାଗଜ ଖଣ୍ଡିଏ ଦିଆଯାଉଛି ସେହି କାଗଜରେ ଲେଖାଯାଇଛି ଯେ, ଏହା ଏକ ଫର୍ମ ବୋଲି। ତା ତଳକୁ ଲେଖା ହୋଇଛି ଏହା ଏକ ପ୍ରମାଣ ପତ୍ର ବୋଲି। ଆଉ ଏହାକୁ ରାଜ୍ୟ ସରକାର କହୁଛନ୍ତି ଏହା ପଟ୍ଟା ବୋଲି। ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ଏହା ଫର୍ମ ନା ପ୍ରମାଣ ପତ୍ର ନା ପଟ୍ଟା। ରାଜ୍ୟରେ ଏକ ଜାଲିଆ ସରକାର ଚାଲିଛି। ଏମାନଙ୍କର ସବୁ ଜାଲି, ନକଲି। ସହରାଞ୍ଳରେ ନବେ ଦଶକରେ ବସ୍ତି ବାସିନ୍ଦାଙ୍କୁ ଯେଉଁ ପଟ୍ଟା ମିଳିଛି ସେଥିରେ ସ୍ପଷ୍ଟ ଭାବରେ ଲେଖାହୋଇଛି ଯେ, ବସ୍ତିବାସିନ୍ଦାଙ୍କ ଥଇଥାନ ଯୋଜନା ଅନୁସାରେ ମିଳିଥିବା ପଟ୍ଟା ବୋଲି। ହେଲେ ଏବେ ରାଜ୍ୟ ସରକାର ଯେଉଁ କାଗଜ ଧରାଉଛନ୍ତି ସେଥିରେ କେଉଁଠି ବି ପଟ୍ଟା ଶବ୍ଦର ଲେଖାନାହିଁ। ରାଜ୍ୟ ସରକାରଙ୍କର ଯେଉଁ ସମବାୟ ବ୍ୟାଙ୍କ ଅଛି ସେମାନେ ବି ଏହି କାଗଜକୁ ସ୍ୱୀକାର କରୁନାହାନ୍ତି। ଏଥିରୁ ସ୍ପଷ୍ଟ ବୁଝାପଡୁଛି ଯେ, ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କ ସହିତ ଛଳନା କରିଛନ୍ତି।
୨୦୧୨ ରୁ ୨୦୨୩ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବାରମ୍ବାର କହି କହି ଆସୁଛନ୍ତି ଯେ, ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦିଆଯିବ। କେବଳ ପ୍ରତିଶୃତି ଦେଇ ଜାଣନ୍ତି ନବୀନ ବାବୁ, କିନ୍ତୁ ତାହା କେବେ ପୂରଣ କରନ୍ତି ନାହିଁ। ୨୦୧୩ ମସିହାରେ ପୌର ନିର୍ବାଚନ ଏବଂ ୨୦୧୪ର ସାଧାରଣ ନିର୍ବାଚନ ପୂର୍ବରୁ ବସ୍ତି ବାସିନ୍ଦାଙ୍କ ଭୋଟ ହାତେଇବା ପାଇଁ ରାଜ୍ୟ ସରକାର ଆଣିଥିଲେ ଓଡିଶା ପ୍ରପର୍ଟି ରାଇଟ୍ସ ଟୁ ସ୍ଲମ ଡ୍ୱେଲର ଏଣ୍ଡ ପ୍ରିଭେନସନ ଅଫ ନ୍ୟୁ ସ୍ଲମ ବିଲ -୨୦୧୨। ପ୍ରତିଶୃତି ଦେଇଥିଲେ କି ବସ୍ତି ବାସିନ୍ଦାଙ୍କୁ ଯୋଗାଇଦେବେ ସ୍ଥାୟୀ ଜମି ପଟା ଓ ଘର। ହେଲେ ୨୦୧୨ରୁ ୨୦୧୭ ମଧ୍ୟରେ ସହରାଞ୍ଚଳର କେଉଁ ଗୋଟିଏ ଲୋକଙ୍କୁ ସ୍ଥାୟୀ ଜମି ପଟା ମିଳିନଥିଲା। ପୁଣି ୪ ବର୍ଷ ପରେ ୨୦୧୭ ମସିହାରେ ଆଉଥରେ ସେହି ବିଲ୍ର ଏକ ଅଧ୍ୟାଦେଶ ଆଣି ମୁଖ୍ୟମନ୍ତ୍ରୀ ପୁଣି ଘୋଷଣା କଲେ କି ଆମେ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟା ଏବଂ ଘର ଯୋଗାଇ ଦେବୁ। ତାହା ବି କେବଳ ପାଣିର ଗାର ପାଲଟିଲା। ପୁଣି ୨୦୨୨ରେ ଆଉ ଏକ ସଂଶୋଧିତ ଆଇନ ଆଣିଲେ। କେବଳ ଆଇନ ଆସୁଛି କିନ୍ତୁ ବସ୍ତି ବାସିନ୍ଦାଙ୍କୁ ଦୁଃଖ ଯାଉନି। ଏବେ ପୁଣି ୨୦୨୩ରେ ସେହି ପୁରୁଣା ନାଟକର ପୁନ୍ନତାବୃତି।
ବିଜୁ ଜନତା ଦଳର ସରକାର କେବଳ ବସ୍ତି ବାସିନ୍ଦାଙ୍କ ଭୋଟ ନେଇଛି କିନ୍ତୁ ସେମାନଙ୍କୁ ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି। ୨୦୧୪ ନିର୍ବାଚନ ଇସ୍ତାହାରରେ ନବୀନ ବାବୁ କହିଥିଲେ, ସହରରେ ଗୋଟିଏ ବି ପରିବାର ବିନା ପକ୍କା ଘରରେ ରହିବେ ନାହିଁ। ଯାହାର ନିଜସ୍ୱ ଜାଗା ନାହିଁ ସେହି ପରିବାରକୁ ସରକାର ଜାଗା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। କୁଆଡେ ଗଲା ସେହି ପ୍ରତିଶୃତି। ମୁଖ୍ୟମନ୍ତ୍ରୀଙ୍କର ସେହି ଘୋଷଣା ବସ୍ତିର ଗରୀବ ଲୋକ ମାନଙ୍କ ପାଇଁ ପ୍ରତିବଦ୍ଧତା ନୁହେଁ ବରଂ ସହରୀ ଗରୀବ ଲୋକଙ୍କୁ ଠକିବା ପାଇଁ ଏକ ହୀନ ରାଜନୈତିକ ଉଦ୍ୟମ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.