ନୂଆଦିଲ୍ଲୀ: ବିରୋଧୀଙ୍କ ଇଣ୍ଡିଆ (ଇଣ୍ଡିଆନ୍ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଏନ୍ସ)ର ନେତାମାନେ ବୁଧବାର ଦିନ କହିଛନ୍ତି ଯେ ବିଜେପି ତୁଳନାରେ ପ୍ରଧାନମନ୍ତ୍ରୀ ଚେହେରା ପାଇଁ ସେମାନଙ୍କ ପାଖରେ ଅନେକ ବିକଳ୍ପ ରହିଛି।
ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଦୁଇ ଦିନିଆ ମୁମ୍ବାଇ ବୈଠକର ଗୋଟିଏ ଦିନ ପୂର୍ବରୁ ଆୟୋଜକ ଦଳ ଶିବସେନା (ୟୁବିଟି), ଏନସିପି (ଶରଦ ପାଓ୍ୱାର ଗୋଷ୍ଠୀ) ଏବଂ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ୨୮ଟି ଦଳ ଉପସ୍ଥିତ ରହିବେ ବୋଲି କହିଛନ୍ତି। ବେଙ୍ଗାଲୁରୁରେ ଅନୁଷ୍ଠିତ ଦ୍ୱିତୀୟ ବୈଠକରେ ୨୬ଟି ବିରୋଧୀ ଦଳ ଭାଗ ନେଇଥିଲେ। ଆଉ ଯୋଡ଼ି ହେବାକୁ ଥିବା ଦୁଇ ଦଳ ଏନଡିଏରେ ସାମିଲ ହୋଇଥିଲେ ବୋଲି ବିରୋଧୀ କହିଛନ୍ତି।
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ କହିଛନ୍ତି, ଆମର ବିଚାରଧାରା ଭିନ୍ନ ହୋଇପାରେ, କିନ୍ତୁ ଆମର ଗୋଟିଏ ସମାନ ଲକ୍ଷ୍ୟ ରହିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି ଯେ ତୃତୀୟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଗୁରୁତ୍ୱ ଦିଆଯାଇପାରେ। ରାଜନୈତିକ ପରିବର୍ତ୍ତନ ଆଣିବା ପାଇଁ ବିରୋଧୀ ମେଣ୍ଟ ଏକ ଶକ୍ତିଶାଳୀ ବିକଳ୍ପ ପ୍ରଦାନ କରିବ ବୋଲି ପାଓ୍ୱାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ତେବେ ଉଦ୍ଧବ ଠାକରେ କହିଛନ୍ତି, ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ପସନ୍ଦ ବିଷୟରେ ପ୍ରଶ୍ନ ବିଜେପିକୁ ପଚାରିବା ଉଚିତ, ଯାହାର କେବଳ ଗୋଟିଏ ବିକଳ୍ପ ଅଛି ତାଙ୍କ ପାଖରେ। ଯାହା ଆମେ ଗତ ୯ ବର୍ଷ ଧରି ଦେଖିଛୁ। ପ୍ରଧାନମନ୍ତ୍ରୀ ପଦ ପାଇଁ ଇଣ୍ଡିଆ ନିକଟରେ ଅନେକ ବିକଳ୍ପ ରହିଛି। ବିଜେପି ପାଖରେ କ’ଣ ବିକଳ୍ପ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ମଙ୍ଗଳବାର ସଂଧ୍ୟାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ତାଙ୍କ ପିତା ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମୁମ୍ବାଇରେ ପହଞ୍ଚିଥିଲେ। ବୁଧବାର ବିଳମ୍ବିତ ସଂଧ୍ୟା ସୁଦ୍ଧା ଦକ୍ଷିଣ ରାଜ୍ୟଗୁଡ଼ିକର ନେତାମାନେ ମୁମ୍ବାଇରେ ପହଞ୍ଚିବେ ବୋଲି ମୁମ୍ବାଇ କଂଗ୍ରେସର ଜଣେ ନେତା ସୂଚନା ଦେଇଛନ୍ତି।
Comments are closed.