Latest Odisha News

BREAKING NEWS

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପାତ୍ରଙ୍କୁ ଜଣେ ଦକ୍ଷ ପ୍ରଶାସକ ଓ ସଂଗଠକ ଭାବରେ ବର୍ଣ୍ଣନା କରିଛନ୍ତି । ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ କ୍ରିୟାଶୀଳ କରିଥିଲେ । ବାଚସ୍ପତି ଭାବରେ ସେ ଓଡିଶାରେ ସଂସଦୀୟ ପରମ୍ପରାର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖି ବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଅମାୟିକ ସ୍ୱଭାବ ପାଇଁ ସେ ଦଳ, ମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଭାବେ ସେ ଦଳକୁ ନୂଆ ଦିଗ ଦେଇଥିଲେ । ବିଶେଷକରି ଗଞ୍ଜାମ ଜିଲ୍ଲାରେ ଦଳକୁ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ମୁଖ୍ୟମନ୍ତ୍ରୀ କହଛନ୍ତି ।ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି ବୋଲି ସେ କହିଛନ୍ତି । ଏଥି ସହିତ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି ।

ସେହିପରି ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି ଶ୍ରୀ ପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ଭଲ ବନ୍ଧୁ ଓ ସ୍ନେହୀ ସ୍ୱଭାବର ବ୍ୟକ୍ତି ଥିଲେ । ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ ।

Comments are closed.