ଭୁବନେଶ୍ୱର: ସ୍କୁଲ୍ ଡ୍ରପ୍ ଆଉଟ୍ ହାର ବୃଦ୍ଧିକୁ ନେଇ ସବୁ ମହଲରୁ ସମାଲୋଚନା ହେବା ପରେ ରାଜ୍ୟ ସରକାର ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ସହଯୋଗରେ ଦଶମ ଶ୍ରେଣୀରେ ଫେଲ୍ ଓ ଡ୍ରପ୍ ଆଉଟ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ବିଷୟରେ ତାଲିମ୍ ଦିଆଯିବ ବୋଲି ନିଷ୍ପତ୍ତି ନେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟାର ଗଣଶିକ୍ଷା ସଚିବଙ୍କ ସହ ଶନିବାର ସିଟିଟିସି ପରିଦର୍ଶନ କରି ଯୋଜନାର ବ୍ଲୁପ୍ରିଣ୍ଟ ସମ୍ପର୍କରେ ଆଲୋଚନା କରିଥିଲେ। ଡ୍ରପ୍ ଆଉଟ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପସନ୍ଦର ଯେକୌଣସି ଟ୍ରେଡର ଦକ୍ଷତା ବିକାଶ ପାଇଁ ୩-୬ ମାସର ପ୍ରଶିକ୍ଷଣ ପ୍ରଦାନ କରାଯିବ।
ସେ କହିଛନ୍ତି, ଆର୍ଥିକ ଅବସ୍ଥା ଖରାପ ଥିବାରୁ ମୁଁ ନବମ ଶ୍ରେଣୀ ପରେ ପାଠପଢ଼ା ଛାଡ଼ି ଦେଇଥିଲି। ଓଡ଼ିଶା ସରକାରଙ୍କ ବୈଷୟିକ ଶିକ୍ଷା ନିଶ୍ଚିତ ଭାବେ ମୋତେ ଚାକିରୀ ଖୋଜିବାରେ ସହାୟକ ହେବ ବୋଲି କହିଛନ୍ତି ବାଦ୍ ପଡ଼ିଥିବା ଯୁବକ ଅଜୟ ମଲ୍ଲିକ।
ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟାର କହିଛନ୍ତି, ଆମେ କିଛି ଜିଲ୍ଲାରେ ଡ୍ରପଆଉଟ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କୁ କାଉନସେଲିଂ ବ୍ୟବସ୍ଥା କରିଛୁ। ଏହି ପ୍ରଶିକ୍ଷଣ ନିଶ୍ଚିତ ଭାବେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ସାହାଯ୍ଯ କରିବ।
ସିଟିଟିସିର ସୂଚନା ଅନୁଯାୟୀ, ସେମାନେ ମାଟ୍ରିକରୁ ଡ୍ରପଆଉଟ୍ ହୋଇଥିବା ପିଲାଙ୍କୁ ଦୀର୍ଘ ଦିନ ଧରି ପ୍ରଶିକ୍ଷଣ ଦେଇ ଆସୁଛନ୍ତି। ମେସିନ୍ ଅପରେଟର, ଏସି ଟେକ୍ନିସିଆନ୍, ମୋବାଇଲ୍ ଫୋନ୍ ମରାମତି ପାଇଁ ବହୁ ଚାହିଦା ରହିଛି। ସିଟିଟିସିରେ ଏହି ପ୍ରଶିକ୍ଷଣର ଲାଭ ଅନ୍ୟ ଡ୍ରପଆଉଟ୍ ଛାତ୍ରଛାତ୍ରୀମାନେ ଉଠାଇପାରିବେ।
ସିଟିଟିସର ତାଲିମ ମୁଖ୍ୟ କେ. ଏମ୍. ରାଜନ କହିଛନ୍ତି, କୁଶଳୀ ଟେକ୍ନିସିଆନଙ୍କ ଚାହିଦା ବହୁତ ରହିଛି। ଆମେ ଚାହୁଁଛୁ ଯେ ଡ୍ରପଆଉଟ୍ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ପରେ ରୋଜଗାରକ୍ଷମ ହୁଅନ୍ତୁ କିମ୍ବା ଆତ୍ମନିର୍ଭରଶୀଳ ହୁଅନ୍ତୁ।
୨୦୧୯ରେ ୯ହଜାର ୫୦୨ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ୨୦୨୦ରେ ଏହି ସଂଖ୍ୟା ୧୧,୬୪୫ରେ ପହଞ୍ଚିଥିବା ବେଳେ ୨୦୨୨ରେ ଏହା ୪୪,୨୪୫ରେ ପହଞ୍ଚିଛି। ୨୦୨୩ରେ ମାଟ୍ରିକ ପରୀକ୍ଷା ଦେଇନଥିଲେ ୧୪ ହଜାର ଛାତ୍ରଛାତ୍ରୀ।
Comments are closed.