କଟକ: ଅଭିନେତ୍ରୀ ଏବଂ କିଛି ମହିଳାଙ୍କ ଫଟୋକୁ ଅଶ୍ଳୀଳ ଭିଡିଓରେ ପରିଣତ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ସାଇବର୍ ପୁଲିସ।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଘସିପୁରାର ଶ୍ରୀତମ ଜେନା ନାମକ ଏହି ଯୁବକ ‘ଆଇ ଆମ୍ ଦି ଇଣ୍ଡିଆନ୍ ଡନ୍ ଅଫିସିଆଲ’ ନାମରେ YouTube ଚ୍ୟାନେଲ ଚଳାନ୍ତି। ଯୁବତୀ ଓ ବିବାହିତ ମହିଳାଙ୍କ ଫଟୋ ଓ ଭିଡିଓକୁ ବ୍ୟବହାର କରି ଅଶ୍ଳୀଳ କଥା ଓ ଅଶ୍ଳୀଳ ଭାଷାରେ ଭିଡିଓ ପ୍ରସ୍ତୁତ କରୁଥିଲା।
କଟକ ସହରରେ ରହୁଥିବା ଶ୍ରୀତମ ଜେନା YouTubeରେ ଏଭଳି ଭିଡିଓ ଅପ୍ଲୋଡ୍ କରୁଥିଲେ। ଏଭଳି ଏକ ଭିଡିଓରେ ସେ ଜଣେ ଓଲିଉଡ ଅଭିନେତ୍ରୀଙ୍କ ଫଟୋ ଓ ଭିଡିଓ ବ୍ୟବହାର କରିଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ଅଭିନେତ୍ରୀ ଜଣକ କଟକ ସାଇବର ଥାନାରେ ଅଭିଯୋଗ କରିଥିଲେ।
ତଦନ୍ତ ପରେ ପୁଲିସ ଶ୍ରୀତମଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ଭିଡିଓ ପ୍ରସ୍ତୁତ କରିବା କଥା ସ୍ୱୀକାର କରିଥିଲେ। 2021 ମସିହାରୁ ବିଜ୍ଞାପନ ମାଧ୍ୟମରେ ଟଙ୍କା ରୋଜଗାର କରିବା ପାଇଁ ସେ ମହିଳାଙ୍କ ଏଡିଟେଡ୍ ଫଟୋ ଓ ଭିଡିଓ ସହ ଏଭଳି ଭିଡିଓ ଅପଲୋଡ୍ କରୁଛନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ସେ 30 ଜଣ ମହିଳାଙ୍କ ଫଟୋକୁ ସେମାନଙ୍କ ଅଜାଣତରେ ବ୍ୟବହାର କରିସାରିଛନ୍ତି। ରବିବାର ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।
Comments are closed.