ଭୋପାଳ: ପ୍ରାଚୀନ କାଳରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଡକ୍ୟୁମେଣ୍ଟକୁ ସୁରକ୍ଷିତ ରଖିବାକୁ ତମ୍ବା ପ୍ଲେଟ୍ର ବ୍ୟବହାର କରାଯାଉଥିଲା । କିନ୍ତୁ ଏବେ ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଓକିଲ ତମ୍ବା ପ୍ଲେଟରୁ ବହି ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି । ତମ୍ବାରେ ପ୍ରସ୍ତୁତ ଏହି ବହି ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଇନ୍ଦୋର ସହରରେ ରୁହନ୍ତି ଆଇନଜୀବୀ ଲୋକେଶ ମଙ୍ଗଲ । ସେ ଏବେ ତମ୍ବା ପ୍ଲେଟରେ ୫୭ କେଜିର ଏକ ବହି ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି । ସେ କର୍ଣ୍ଣାଟକ ସରକାର ଥାୱରଚାନ୍ଦ ଗେହଲଟଙ୍କ ପ୍ରେରଣାରେ ଏହି ପୁସ୍ତକ ପ୍ରସ୍ତୁତ କରିଛନ୍ତି । ୬ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ସେ ଏହାକୁ ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରିଛନ୍ତି । ଏହି ପୁସ୍ତକରେ ବିଶ୍ୱର ୧୯୩ଟି ଦେଶର ପରିଚୟ ସହିତ ଜଡ଼ିତ ୬ହଜାରରୁ ଅଧିକ ପ୍ରତୀକ ରହିଛି । ଏହି ପୁସ୍ତକର ନାମ ରହିଛି ‘ସମ୍ବିଧାନ ସେ ଦେଶ’ । ପୁସ୍ତକର ମୋଟ ଓଜନ ୫୭ କିଲୋ ଥିବାବେଳେ ତା’ର କଭର ପେଜ୍ର ଓଜନ ୧୦ କିଲୋ ରହିଛି । ପ୍ରତୀକଗୁଡ଼ିକ ଲେଜର ଟେକ୍ନୋଲୋଜି ସାହାଯ୍ୟରେ ୨ କଳାକାରଙ୍କ ଦ୍ୱାରା ତମ୍ବା ପ୍ଲେଟ୍ରେ ଖୋଦିତ ହୋଇଛି । ସବୁଠୁ ବଡ଼ କଥା, ସେ ୨୦୦ ସହରର ୪୨ ହଜାର ଲୋକଙ୍କଠାରୁ କେବଳ ୧ ଟଙ୍କା ଦାନରେ ପ୍ରସ୍ତୁତ କରିଛନ୍ତି ।
ଲୋକେଶ କହିଛନ୍ତି, ତମ୍ବା ପ୍ଲେଟ୍ର ଏହି କାର୍ଯ୍ୟର ମୂଳଦୁଆରେ ଭାରତର ‘ବସୁଧୈବ କୁଟୁମ୍ବକମ୍’ ଏବଂ ‘ସର୍ଭେ ଭବନ୍ତୁ ସୁଖୀନଃ’ ର ଉଦାର ଭାବନା ରହିଛି । ପୁସ୍ତକଟି ୧୪ ଇଞ୍ଚ ଟଉଡ଼ା ୩୮ ଇଞ୍ଚ ଲମ୍ବା ହୋଇଛି । ଏହାକୁ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାକୁ ଅତି କମ୍ରେ ୨ ଜଣ ଲୋକଙ୍କ ଆବଶ୍ୟକତା ପଡ଼ିବ ବୋଲି ସେ କହିଛନ୍ତି ।
Comments are closed.