Latest Odisha News

ଗଞ୍ଜାମରେ ଯୁବ ବିଜେଡି ନେତାଙ୍କୁ ହତ୍ୟା ଘଟଣାରେ ଦୁଇ ଅଟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡରେ ଶାସକ ବିଜୁ ଜନତା ଦଳର ଜଣେ ସ୍ଥାନୀୟ ଯୁବନେତାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ପୋଲ ତଳକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ କୁମାରପାଣି ଗ୍ରାମର ମଧୁସୂଦନ ବିଷୋୟୀ(40)। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

କୌଣସି ସୂତ୍ରରୁ ଖବର ପାଇ ମଧୁସୂଦନ କୁମାରପାଣିସ୍ଥିତ ନିଜ ଗାଁକୁ ଫେରୁଥିବା ବେଳେ ଏକ କାର ଓ ବାଇକରେ ତିନିରୁ ଚାରି ଜଣ ଅଜଣା ଦୁର୍ବୃତ୍ତ ତାଙ୍କୁ ନଦୀ ପୋଲ ନିକଟରେ ଅଟକାଇଥିଲେ। ସେମାନେ ତାଙ୍କୁ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରି ନଦୀ ପୋଲ ଉପରୁ ଫିଙ୍ଗି ଦେଇଥିଲେ।

ଗୁରୁତର ଅବସ୍ଥାରେ ମଧୁସୂଦନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାର ସଠିକ୍ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ। ଏହି ଘଟଣାକୁ ନେଇ ରାଜନୈତିକ ବିବାଦ ମଧ୍ୟ ଦେଖାଦେଇପାରେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ଅଟକ ରଖିଥିବା ଦୁଇ ଜଣଙ୍କୁ ପଚରାଉଚରା କରୁଛି।

Comments are closed.