Latest Odisha News

BREAKING NEWS

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲାଣି ୫ ହଜାର, ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇସାରିଲେଣି। ବର୍ଷା ଯୋଗୁଁ ଏହି ରୋଗ ବ୍ୟାପିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଜୁଲାଇରୁ ଅକ୍ଟୋବର ମଧ୍ୟରେ ଡେଙ୍ଗୁର ସର୍ବାଧିକ ସମୟ ହୋଇଥାଏ। ଏହି ରୋଗକୁ ରୋକିବା ପାଇଁ ଘର ଓ ଆଖପାଖ ଅଞ୍ଚଳକୁ ସଫାସୁତୁରା ରଖିବାକୁ ପରାମର୍ଶ ଦେଇଛନ୍ତି।

ସେହିପରି ୯୮% ଡେଙ୍ଗୁ ରୋଗୀ ଠିକ୍ ସମୟରେ ଚିକିତ୍ସା ପାଇ ସୁସ୍ଥ ହେଉଥିବାରୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି। ରୋଗୀଙ୍କ ପ୍ଲେଟଲେଟ୍ କାଉଣ୍ଟ ୨୦ ହଜାରକୁ ଖସି ଆସିଲେ ମଧ୍ୟ ସଠିକ୍ ଚିକିତ୍ସା ଦ୍ୱାରା ସେମାନେ ସୁସ୍ଥ ହୋଇପାରିବେ ବୋଲି ସେ କହିଛନ୍ତି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ୫ ହଜାର ୯୭ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୧୩୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

ପୁରୀ ଜିଲ୍ଲାରେ ୫ ହଜାର ୯୭ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରେ ୫୨୦ ଓ ବାଲେଶ୍ୱର ଜିଲ୍ଲାରେ ୪୭୩ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବାବଦରେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଟେଷ୍ଟ ସଂଖ୍ୟା ବଢିଛି। ପ୍ରତିଦିନ ୭୦୦ ରୁ ଅଧିକ ଟେଷ୍ଟ ହେଉଛି। ଯେହେତୁ ଟେଷ୍ଟ ଅଧିକ ହେଉଛି ତେଣୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ଟିପିଆର ରେଟ କମିଛି। ହସ୍ପିଟାଲରେ ଆଡ଼ମିଶନ ମଧ୍ୟ କମିଛି। ଆଇସିୟୁରେ କୌଣସି ରୋଗୀ ନାହାନ୍ତି।

ଯେଉଁ ଅଞ୍ଚଳରେ ଡେଙ୍ଗୁ ବାହାରୁଛି ସେଠି ଲୋକଙ୍କୁ ସଚେତନ କରାଯାଉଛି। ଡାକ୍ତରୀ ଦଳ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ବିଭିନ୍ନ ସ୍କୁଲ ମାନଙ୍କରେ ପିଲାଙ୍କୁ ଡେମୋ ଦେଖାଇ ସଚେତନ କରାଯାଉଛି। ଘର ଘର ଅଭିଯାନ ମାଧ୍ୟମରେ ଲୋକଙ୍କ ଘରକୁ ଯାଇ ସଚେତନ କରାଯାଉଛି। କେମିତି ପାଣି ଜମିଥିବା ସ୍ଥାନକୁ ପରିଷ୍କାର କରାଯିବ ସେନେଇ ଡେମୋ ଦିଆଯାଉଛି। ୧୦ଟି ନୂଆ ମଶା ଧୁଆଁ ମେସିନ ଗାଡି ଆସିଛି ଆସନ୍ତା ସପ୍ତାହରେ ଆଉ ୧୦ ଟି ଆସିବ ମୋଟ୍ ୨୦ଟି ଗାଡ଼ିରେ ପୁରା ବିଏମସି ଏରିଆ କଭର ହେବ ହେବ ବୋଲି କୁଲାଙ୍ଗେ କହିଛନ୍ତି।

Comments are closed.