ବ୍ରହ୍ମପୁର: ପାର୍ବଣ ପାଇଁ ପ୍ରସ୍ତୁତି । ପାର୍ବଣକୁ ସୁନ୍ଦର,ଶୃଙ୍ଖଳିତ କରିବା ପାଇଁ ସବୁ ଦିଗରୁ ଆରମ୍ଭ ହେଉଛି ଉଦ୍ୟମ । ଏହି ପରିପ୍ରେକ୍ଷୀରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା । ଆଗାମୀ ପାର୍ବଣ ଋତୁ ସମୟରେ କିପରି ନିରବଚ୍ଛିନ୍ନ ତଥା ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଣ ହେବ ସେ କମ୍ପାନୀ ପକ୍ଷରୁ କରାଯାଇଥିବ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦିଆଯାଇଛି ।
ଟିପିଏସ୍ଓଡିଏଲ୍ ପାର୍ବଣ ଋତୁର ଆବଶ୍ୟକତାକୁ ଧ୍ୟାନରେ ରଖି ନିର୍ମାଣ ହେବାକୁ ଯାଉଥିବା ଅସ୍ଥାୟୀ ଢାଞ୍ଚା ଓ ପୂଜା ମଣ୍ଡପ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ବିଶେଷ କରି ପାର୍ବଣ ଋତୁରେ ଅସ୍ଥାୟୀ ମଣ୍ଡପ ଏବଂ ଦୋକାନ ବସାଇବାକୁ ଯାଉଥିବା ବ୍ୟକ୍ତି ବିଶେଷମାନେ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରି ଅସ୍ଥାୟୀ ବିଦ୍ୟୁତ ସଂଯୋଗ ନେବା ପାଇଁ ପରାମର୍ଶ ଦେଇଛି ।
ଆନନ୍ଦ ଓ ଉଲ୍ଲାସଭରା ଉତ୍ସବ ସମୟରେ ପୂଜା ମଣ୍ଡପଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଫ୍ୟୁଜ୍ କଲ୍ ସେଣ୍ଟର (ଏଫସିସି)ରେ ଏକ ଉତ୍ସର୍ଗୀକୃତ ଟିମ୍ ନିୟୋଜିତ କରାଯାଇଛି । ସେହିଭଳି ଅନଧିକୃତ ହୁକିଂ/ ବିଦ୍ୟୁତ ଚୋରିକୁ ବନ୍ଦ କରିବା ଦିଗରେ ମଧ୍ୟ ଏହି ଟିମ୍ ଧ୍ୟାନ ଦେବ। ଏହାବ୍ୟତୀତ ଟିପିଏସ୍ଓଡିଏଲର ୨୪ ଘଣ୍ଟିଆ କଲ୍ ସେଣ୍ଟର, ସାମାଜିକ ଗଣମାଧ୍ୟମ ମନିଟରିଂ ୟୁନିଟ୍ ସହ ମିଶି, ଅଭିଯୋଗର ତୁରନ୍ତ ସମାଧାନ କରିବ ।
ଜରୁରୀକାଳୀନ ପରିସ୍ଥିତିରେ ଉପଭୋକ୍ତାମାନେ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୬୭୯୭ ସହିତ ଯୋଗାଯୋଗ କରିବା ସହ ନିକଟସ୍ଥ ଫ୍ୟୁଜ୍ କଲ୍ ସେଣ୍ଟର୍ / କାର୍ଯ୍ୟାଳୟକୁ ଯାଇ ବିଦ୍ୟୁତଜନିତ ସମସ୍ୟାର ସମାଧାନ କରିପାରିବେ ।
Comments are closed.