Latest Odisha News

ସ୍କ୍ରବ୍ ଟାଇଫସରେ ଆଉ ଜଣଙ୍କର ମୃତ୍ୟୁ ସନ୍ଦେହ, ଘଟଣାସ୍ଥଳକୁ ଗଲା ଡାକ୍ତରୀ ଟିମ୍

ବରଗଡ଼: ଶନିବାର ସ୍କ୍ରବ୍ ଟାଇଫସ୍ ଯୋଗୁଁ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏକ ଘରୋଇ ନର୍ସିଂହୋମରେ ରୋଗୀଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ସେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସ୍କ୍ରବ ଟାଇଫସ୍ ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛଅକୁ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁସାରେ ଗତ ଅଗଷ୍ଟ ୩୧ ତାରିଖରୁ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ରୋଗରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି।

ସେପଟେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭୀମସାର)ର ତିନି ଜଣିଆ ଡାକ୍ତରୀ ଦଳ ବରଗଡ଼ ଯାଇ ତଦନ୍ତ କରିଛନ୍ତି। ଏହି ଟିମରେ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ, ଆସିଷ୍ଟାଣ୍ଟ ପ୍ରଫେସର ତଥା ମାଇକ୍ରୋବାୟୋଲୋଜିଷ୍ଟ ଡାକ୍ତର ସତ୍ୟବ୍ରତ ଠାକୁର ଓ କମ୍ୟୁନିଟି ମେଡିସିନର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଉଦୟ କୁମାର ନାୟକ ରହିଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତ୍ତା କହିଛନ୍ତି, ଏଲିସା ଟେକନିକରେ ଆଣ୍ଟିବଡି ଟେଷ୍ଟ ପାଇଁ ବରଗଡ଼ ସିଏଚସିରେ ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି।

ବର୍ତ୍ତମାନ ସୁଦ୍ଧା ୩୭୬ଟି ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୧୧ଟି ପଜିଟିଭ୍ ବାହାରିଛି। ଶନିବାର କରାଯାଇଥିବା ୬୨ଟି ପରୀକ୍ଷା ମଧ୍ୟରୁ କେହି ଏହି ରୋଗରେ ଆକ୍ରାନ୍ତ ହୋଇନାହାନ୍ତି ବୋଲି ସେ କହିଛନ୍ତି।

Comments are closed.