Latest Odisha News

ସଂସଦରେ ମହିଳା ସଂରକ୍ଷଣ ବିଲ: ପାସ ହେଲେ ବି ୨୦୨୯ ପୂର୍ବରୁ କାର୍ଯ୍ୟକାରୀ ହୋଇ ପାରିବନି

ନୂଆଦିଲ୍ଲୀ:ନୂଆ ସଂସଦ ଭବନରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଧିବେଶର ୨ୟ ଦିନ । ନୂତନ ଭବନର ପ୍ରଥମ ଦିନକୁ ଐତିହାସିକ କରି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମ ଦିନରେ ଉପସ୍ଥାପିତ କରିଛନ୍ତି ମହିଳା ସଂରକ୍ଷଣ ବିଲ । ଏହି ବିଲର ସ୍ୱତନ୍ତ୍ର ନାଁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ‘ମହିଳା ବନ୍ଦନ ଅଧିନିୟମ’ ।

ଆଜି ନୂଆ ସଂସଦ ଭବନରେ ଆଗତ ହୋଇଛି ମହିଳା ବନ୍ଦନ ଅଧିନିୟମ । ସୋମବାର ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ହେବା ପରେ ଏହାକୁ ସମସ୍ତେ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ ପ୍ରଧାମନ୍ତ୍ରୀ । ଆଜି ଏହି ବିଲକୁ ଆଇନ ମନ୍ତ୍ରୀ ଅର୍ଜୁନୀରାମ ମେଘବାଲ ଲୋକସଭାରେ ଆଗତ କରିଥିଲେ । ଏହି ବିଲ ଉପରେ ଆସନ୍ତାକାଲି ଆଲୋଚନା କରାଯିବ । ସେପ୍ଟେମ୍ବର ୨୧ ତାରିଖରେ ରାଜ୍ୟ ସଭାରେ ଆଗତ କରାଯିବ ।

ସଂସଦ ଭବନରେ ପ୍ରଥମ ଅଭିଭାଷଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହି ବିଲ ପାସ କରାଯିବା ପରେ ମହିଳାମାନଙ୍କ ପାଇଁ ଏକ ଇତିହାସ ସୃଷ୍ଟି ହେବ । ପ୍ରଧାନମନ୍ତ୍ରୀ କହିଥିଲେ, ମହିଳା ସଂରକ୍ଷଣ ବିଲ ପୂର୍ବରୁ ଉପସ୍ଥାପିତ ହୋଇଥିଲା  । କିନ୍ତୁ ଏହି ପବିତ୍ର ବିଲ କାର୍ଯ୍ୟକାରୀ କରାଇବାକୁ   ଭଗବାନ ବୋଧହୁଏ ମୋତେ ବାଛିଛନ୍ତି । ଏହି ବିଲ କାର୍ଯ୍ୟକାରୀ ହେଲେ ଲୋକସଭା ଓ ରାଜ୍ୟ ସଭାରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଏବେ ଲୋକସଭାରେ ୭୮ ଜଣ ମହିଳା ସାଂସଦ ଅଛନ୍ତି ଯାହା ୧୫ ପ୍ରତିଶତରୁ କମ ।

ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଓଡ଼ିଶା, ସିକିମ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା ଓ ପୁଡୁଚେରୀ ସମେତ ଅନେକ ରାଜ୍ୟରେ ମହିଳାଙ୍କ ପ୍ରତିନିଧିତ୍ୱ ୧୦ ପ୍ରତିଶତରୁ କମ୍ ରହିଛି। ଏହି ବିଲ କାର୍ଯ୍ୟକାରୀ ହେଲେ ସଂସଦରେ ମହିଳାଙ୍କ ସଂଖ୍ୟା ଲୋକସଭାରେ ୧୮୧ ହେବ ।

ବିଲରେ କାହା ପାଇଁ କେତେ ସଂରକ୍ଷଣ

ମହିଳା ବନ୍ଦନ ଅଧିନିୟମରେ ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ଏକ ତୃତୀୟାଂଶ  ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ ଏଥିରେ ଓବିସିଙ୍କ ପାଇଁ କୌଣସି ସଂରକ୍ଷଣ ନାହିଁ ।

ଏହି ବିଲକୁ ବିଏସପି ମୁଖ୍ୟ ମାୟାବତୀ ସ୍ୱାଗତ କରିଥିଲେ । ସେ କହିଥିଲେ, ଲମ୍ବା ସମୟ ଧରି ଏହି ବିଲ ଅଟକି ରହିଥିଲା । ୩୦ ପ୍ରତିଶତ ବଦଳରେ ୫୦ ପ୍ରତିଶତ ହୋଇଥିଲେ ଆହୁରି ଭଲ ହୋଇଥାନ୍ତା । ଅନ୍ୟପକ୍ଷେ ସମତା ପାର୍ଟି କୋଟା ଭିତରେ କୋଟା ପାଇଁ ଦାବି ଉଠାଇଛି ।

 ୨୦୨୯ ପୂର୍ବରୁ ଲାଗୁ ହୋଇ ପାରିବନି ଏହି ବିଲ

ମହିଳା ସଂରକ୍ଷଣ ବିଲ କେନ୍ଦ୍ର କ୍ୟାବିନେଟରେ ପାସ ହେଲା । ଲୋକସଭା ଏବଂ ରାଜ୍ୟ ସଭାରେ ହୁଏତ ଅନୁମୋଦନ ହୋଇଯିବ । ହେଲେ କାର୍ଯ୍ୟକାରୀ କେବେ ହେବ ? ୨୦୨୪ ନିର୍ବାଚନ ପୂର୍ବରୁ ହୋଇ ପାରିବ ତ ? ଏହାକୁ ନେଇ ଉଠିଛି ପ୍ରଶ୍ନ । ତେବେ ରାଜେନୖତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବିଲ କାର୍ଯ୍ୟକାରୀ ହୋଇ ପାରିବ ନାହିଁ ।

କାରଣ ନିର୍ବାଚନ କ୍ଷେତ୍ରର ପରିସୀମା ଧାର୍ଯ୍ୟ ହେବା ଏବଂ ଆଇନ ଲାଗୁ ହେବା ପରେ ପ୍ରଥମ ଜନଗଣନା ପରେ ଏହି ବିଲ ଲାଗୁ ହେବ । ଭାରତର ଜନଗଣନା ୨୦୨୭ରେ ହେବାର ସମ୍ଭାବନା ରହିଛି । ତେଣୁ ଏହି ବିଲ ୨୦୨୯ ନିର୍ବାଚନ ପୂର୍ବରୁ କାର୍ଯ୍ୟକାରୀ ହେବାର ସମ୍ଭାବନା କମ ରହିଛି ।

Comments are closed.