ମୋହାଲୀ: ସ୍ଥାନୀୟ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ମହମ୍ମଦ ସାମୀଙ୍କ ଘାତକ ବୋଲିଂ ପରେ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଭାରତ ସହଜରେ ବିଜୟ ହାସଲ କରିଥିଲା । ଅଷ୍ଟ୍ରେଲିଆ ୨୭୭ ରନର ଟାର୍ଗେଟ ଭାରତ ସମ୍ମୁଖରେ ରଖିଥିଲା ।
ରିତୁରାଜ ଗାଏକ୍ୱାଡ (୭୧), ଶୁଭମନ ଗିଲ(୭୪) ଆରମ୍ଭରୁ ୧୪୨ ରନ ଯୋଗ କରିଥିଲେ । ଦଳର ସ୍କୋର ୧୫୧ ହୋଇଥିବା ବେଳେ ଦୁଇ ଓପନର ଓ ଶ୍ରେୟାଶ ଆୟାର(୩) ପ୍ୟାଭିଲିୟନ ଫେରି ଯାଇଥିଲେ । ଅଧିନାୟକ କେଏଲ ରାହୁଲ (୫୮ ନଟଆଉଟ) ଓ ସୂର୍ଯ୍ୟକୁମାର ଯାଦବ ୫୦ ରନର ଆକର୍ଷଣୀୟ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ ।
ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଡେଭିଡ ୱାର୍ଣ୍ଣରଙ୍କ ୫୨,ଷ୍ଟିଭ ସ୍ମିଥଙ୍କ ୪୧ ଓ ଶେଷ ଭାଗରେ ଜୋଶ ଇଂଗିଲ୍ସଙ୍କ ୪୫ ରନ ସହାୟତାରେ ୫୦ ଓଭରରେ ୨୭୬ ରନ କରିଥିଲା । ସାମୀଙ୍କ ୫ ୱିକେଟ ବ୍ୟତୀତ ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ, ରବିଚନ୍ଦ୍ରନ ଅଶ୍ୱୀନ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଁଏ ୱିକେଟ ହାସଲ କରିଥିଲେ ।
ବର୍ଷା ଯୋଗୁ ୩୫.୪ ଓଭର ବେଳକୁ ମ୍ୟାଚକୁ ରୋକା ଯାଇଥିଲା । କିଛି ସମୟ ପରେ ବର୍ଷା ଛାଡିବା ଯୋଗୁ ମ୍ୟାଚ ଆରମ୍ଭ ହୋଇଥିଲା । ଟସ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ମହମ୍ମଦ ସାମୀଙ୍କ ଚମତ୍କାର ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ବଡ ସ୍କୋର କରିବାରେ ବିଫଳ ହୋଇଥିଲା ।
Comments are closed.