Latest Odisha News

ପରଲୋକରେ କୃଷି ବିଜ୍ଞାନୀ ତଥା ‘ସବୁଜ ବିପ୍ଳବ’ର ପୁରୋଧା ଏମଏସ ସ୍ବାମୀନାଥନ୍‌

ଚେନ୍ନାଇ: ବିଶିଷ୍ଟ କୃଷି ବିଜ୍ଞାନୀ ତଥା ଭାରତର ‘ସବୁଜ ବିପ୍ଳବ’ର ମୁଖ୍ୟ ଏମଏସ ସ୍ବାମୀନାଥନ୍‌ଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ୯୮ ବର୍ଷ ବୟସରେ  ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ପୂର୍ବାହ୍ନ ୧୧ଟା ୨୦ରେ  ଦେହାନ୍ତ ହୋଇଛି ।

୧୯୨୫ ମସିହା ଅଗଷ୍ଟ ୭ ତାରିଖରେ ତାମିଲନାଡୁର ତାଞ୍ଜାବୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ସ୍ବାମୀନାଥନ୍‌ ।  ସେ ଫାଦର ଅଫ ଇକୋନମିକ ଇକୋଲଜି ବା ଅର୍ଥନୈତିକ ପରିବେଶର ଜନକ ଭାବେ ବେଶ ପରିଚିତ ଥିଲେ । ସ୍ବାମୀନାଥନ୍‌ ଆଳୁ, ଗହମ, ଧାନ ଓ ଝୋଟ ବା ନଳିତାର ଗୁଣସୂତ୍ର ଉପରେ ଗବେଷଣା ଆରମ୍ଭ କରି ୧୯୪୯ରେ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ।

୧୯୮୭ରେ ତାଙ୍କୁ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଧିକ ଅମଳକ୍ଷମ ଗହମ, ଚାଉଳ କିସମ ବିକଶିତ କରିବା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା । ଏହା ପୂର୍ବରୁ  ୧୯୭୧ ମସିହାରେ ପ୍ରତିଷ୍ଠିତ ରମଣ ମେଗାସେସ୍ ପୁରସ୍କାରରେ ମଧ୍ୟ ତାଙ୍କୁ ସମ୍ମାନୀତ କରାଯାଇଥିଲା । ସେ ଚେନ୍ନାଇର ଏମଏସ ସ୍ୱାମୀନାଥମ ରିସର୍ଚ୍ଚ ଫାଉଣ୍ଡେସନ (ଏମଏସଏସଆରଏଫ) ପ୍ରତିଷ୍ଠା କରିଥିଲେ।

ମରୁଡି କବଳରୁ ଦେଶକୁ କିପରି ରକ୍ଷା କରାଯାଇପାରିବ ଓ ଖାଦ୍ୟ ଉତ୍ପାଦନ ବୃଦ୍ଧି କରାଯାଇପାରିବ ସେନେଇ ସେ ଆମେରିକାର କୃଷି ବୈଜ୍ଞାନିକ ନାର୍ମନ ବୋରଲୋଗଙ୍କ ସହ ୧୦ ବର୍ଷ ଧରି କାମ କରିଥିଲେ ।

ସୂଚନା ଥାଉକି ଗତବର୍ଷ ସ୍ୱାମୀନାଥନଙ୍କ ପତ୍ନୀ ମୀନା ସ୍ୱାମୀନାଥନଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ କନ୍ୟା ସୌମ୍ୟା ସ୍ୱାମୀନାଥନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ମୁଖ୍ୟ ବୈଜ୍ଞାନିକ ଭାବେ କାମ କରିସାରିଛନ୍ତି ।

ସ୍ଠାମୀନାଥନଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Comments are closed.