Latest Odisha News

BREAKING NEWS

‘ଜଣେ ଅଭିଯୁକ୍ତର ମୃତ୍ୟୁରେ ଖୁସି, ଅନ୍ୟ ଜଣେ ଦଣ୍ଡିତ ହେବା ଦରକାର’, କାହାକୁ ଇସାରା କଲେ ମମିତାଙ୍କ ମା?

ବଲାଙ୍ଗୀର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଦଣ୍ଡିତ ହେବା ଦରକାର। ସେ ଏବେ ବୁଲୁଛନ୍ତି। ମମିତାଙ୍କ ମା ଆଜି ଏହା କହିଛନ୍ତି। ସଂପୃକ୍ତ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନି ସିବିଆଇ ଏହି ମାମଲାର ତଦନ୍ତ କଲେ ସଂପୃକ୍ତ ଅଭିଯୁକ୍ତ ଦଣ୍ଡିତ ହୋଇପାରିବେ। ମମତିଙ୍କ ମା ତୁଳସୀ ଆଜି ଏଭଳି କହି କାହାକୁ ଇସାରା କଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଆଜି କଣ୍ଟାବାଞ୍ଜି ଝର୍‌ନୀ ସ୍ଥିତ ମମିତାଙ୍କ ପରିବାରକୁ ଭେଟିଥିଲା ବିଜେପି ଟିମ୍‌। ମମିତାଙ୍କୁ ପରିବାରକୁ ଭେଟିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ତାଙ୍କସହ ଥିଲେ ସାଂସଦ ସଙ୍ଗୀତା ସିଂଦେଓ, ବରିଷ୍ଠ ନେତା କେଭି ସିଂଦେଓ ।

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ଦାବି କରିବା ସହିତ ସତ ପଦାକୁ ଆସିବା ପାଇଁ ସିବିଆଇ ତଦନ୍ତ ହେଉ ବୋଲି କହିଛନ୍ତି ମମିତାଙ୍କ ମା ତୁଳସୀ। ଝିଅ ଘରୁ ଅକ୍ଟୋବର ୮ରେ ବାହାରିଥିଲା, ଆଜିକୁ ୨ ବର୍ଷ ପୂରିଲା ବୋଲି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। ଜଣେ ଅଭିଯୁକ୍ତ ତଡ଼ପି, ତଡ଼ପି ମରିଥିବାରୁ ଆମକୁ ଖୁସି ଲାଗୁଛି’ ଆଉ ଜଣେ ଅଭିଯୁକ୍ତ ଅଛି, ତାକୁ ଫାଶି ହେବା ଦରକାର-ମମିତାଙ୍କ ମା’ ଦାବି କରିଛନ୍ତି।

ସେପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର ହେଉ। ଏଯାବତ ପ୍ରଭାବଶାଳୀ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନି। ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନ ଦେଲେ ଅନ୍ୟପନ୍ଥା ଗ୍ରହଣ କରିବୁ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ମହାଲିଙ୍ଗ କଲେଜର ମାଲିକ ଗୋବିନ୍ଦ ସାହୁ କଂଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିଲା। କିନ୍ତୁ ଏହି ମାମଲା ଯେତେବେଳେ ଚର୍ଚ୍ଚାକୁ ଆସିଥିଲା ସେତେବେଳେ ଜୁନାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ଅନେକ ଶାସକ ଦଳର ନେତାଙ୍କ ସଂପୃକ୍ତି ଥିବା ଦାବି ହେଉଥିଲା। ଯାହାକୁ ନେଇ ବିଧାୟକ ଦିବ୍ୟଶଙ୍କର ଅଡୁଆରେ ପଡ଼ିଥିଲେ। ଏବେ ମମିତାଙ୍କ ମା ଅନ୍ୟ ଜଣେ ଅଭିଯୁକ୍ତ ବୋଲି କାହାକୁ ଇସାରା ଦେଇଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ।

Comments are closed.