ଭୁବନେଶ୍ବର: ଜାତୀୟ ସ୍ତରରେ ଗୌରବ ଆଣିଲେ ଓଡ଼ିଆ ଛାତ୍ରଛାତ୍ରୀ। ଏକଲବ୍ୟ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଚତୁର୍ଥ ଜାତୀୟ ସ୍ତରୀୟ ସାଂସ୍କୃତିକ ସାହିତ୍ୟ ତଥା କଳା ଉତ୍ସବରେ ଯୋଗ ଦେଇ ଓଡିଶା ପାଇଁ ଗୌରବ ଆଣିଛନ୍ତି। ଉତ୍ତରାଖଣ୍ଡସ୍ଥିତ ଡେରାଡୁନଠାରେ ଅକ୍ଟୋବର୩ ତାରିଖରୁ ୬ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ସମଗ୍ର ଦେଶର ୨୨ ଟି ରାଜ୍ୟରୁ ୨୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏଥିରେ ଓଡିଶାର୫୬ ଜଣ ଛାତ୍ରଛାତ୍ରୀ ପ୍ରାୟ ୩୧ଗୋଟି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ୨୧ ଜଣ କୃତିତ୍ବ ଅର୍ଜନ କରିଛନ୍ତି।
ଓଡ଼ିଶା ମଡେଲ ଆଦିବାସୀ ଶିକ୍ଷା ସମାଜ (OMTES) କାର୍ଯ୍ୟାଳୟ ପରିସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନର ବିଭାଗୀୟ କମିଶନର ଶ୍ରୀମତି ରୂପା ରୋଶନ ସାହୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସେ କହିଛନ୍ତି, ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅଧିକରୁ ଅଧିକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ।
ସମ୍ବର୍ଦ୍ଧନା ସଭାରେ ଅନୁସୂଚିତ ଜନଜାତି ବିଭାଗୀୟ ନିର୍ଦ୍ଦେଶକ ତଥା ଓଡ଼ିଶା ମଡେଲ ଆଦିବାସୀ ଶିକ୍ଷା ସମାଜ ସଚିବ ଇନ୍ଦ୍ରମଣି ତ୍ରିପାଠୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅତିରିକ୍ତ ଶାସନ ସଚିବ ନାରାୟଣ ଧଳ, ପ୍ରଣତୀ ପାତ୍ର ତଥା ଓଡିଶା ମଡେଲ ଆଦିବାସୀ ଶିକ୍ଷା ସମାଜର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
ଚିତ୍ରାଙ୍କନ ପ୍ରତିଯୋଗିତାରେ ଜାମାଲି ରଇତି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୋଲୋ ସଙ୍ଗୀତ ପରିବେଷଣରେ ଭୀମା ନାଚିକା ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସୋଲୋ ନୃତ୍ୟ ପରିବେଷଣରେ ସୋନା ମାଡକାମୀ ଓ ଡମ୍ବୁରୁ ମୁଦୁଲୀ ତୃତୀୟ ସ୍ଥାନ, ଚନ୍ଦନା ରଇତା ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପକ୍ଷେ ମଞ୍ଚ ନାଟକ ପରିବେଷଣରେ ଭୂବନ ଖୋରା ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ କୁଇଜ ପ୍ରତିଯୋଗିତାରେ ରାମଚନ୍ଦ୍ର ହାଁସଦା ଓ ସାବିତ୍ରୀ ଓରାମ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ହିନ୍ଦୀ ବକ୍ତୃତା ପ୍ରତିଯୋଗିତାରେ କଲ୍ୟାଣୀ ମାଝି ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସାମୁହିକ ସଙ୍ଗୀତ ପରିବେଷଣରେ ବବିତା ନାଏକ, ଆରତୀ ମାଝି, ଦିଲେଶ୍ବର କିଶାନ, ଶ୍ରୁତି ସା, ସାଗରିକା ଓରାମ, ସିମରନ୍ କୁଜୁର, ସୌଦାମିନୀ ମିଞ୍ଜ, ଅନିଶା ଲୁଗୁନ୍, ଶ୍ରାବଣୀ ନାଏକ, ମନୋଜ ରୋହିଦାସ, ମନିଷା କୁଜୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
Comments are closed.