Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ମାର୍ଗଶିର ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଶେଷ ପର୍ବ ପର୍ବାଣୀ ବିଷୟରେ ଆମେ ମାସ ଅନୁସାରେ ଆଲୋଚନା ଜାରି ରଖିଛେ। ଏହି କ୍ରମରେ ବର୍ତ୍ତମାନ ଆଉ ଏକ ପବିତ୍ର ମାସ ମାର୍ଗଶିର ମାସ ବିଷୟରେ ଜାଣିବା।

ପ୍ରଥମା ଅଷ୍ଟମୀ :- ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ ଏହି ପର୍ବ। ଏହି ପର୍ବର ଏକ ବିଶେଷତ୍ୱ ହେଲା ପ୍ରତ୍ୟେକ ପରିବାରର ବଡ଼ ପିଲା ମାନଙ୍କୁ (ସାଧାରଣରେ ବଡ଼ ପୁଅ ) ଏହି ପର୍ବରେ ବନ୍ଦାପନା କାରାଯାଏ କାରଣ ବଡ଼ ପିଲାଟି ହିଁ ଗୃହ କର୍ତ୍ତାଙ୍କ ପରେ ଗୃହର ଦାୟିତ୍ୱ ନେଇଥାଏ।

ଦେବ ଦୀପାବଳୀ :- ମାର୍ଗଶିର ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀଠାରୁ ଶୁକ୍ଳ ପକ୍ଷ ପ୍ରତିପଦ ପଯ୍ୟନ୍ତ ତିନି ଦିନ ଏହି ଉତ୍ସବ ପାଳିତ ହୋଇଥାଏ। ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏହି ତିନି ଦିନ ମହାପ୍ରଭୁ ଶ୍ରୀମନ୍ଦିରରେ ପ୍ରତ୍ୟେକ ଯୁଗର ପିତା ମାତାଙ୍କୁ ପିଣ୍ଡ ଦାନ କରି ନିଜର ପିତୃ ଋଣ ପରିଶୋଧ କରନ୍ତି। ପ୍ରଥମ ଚତୁର୍ଦ୍ଦଶୀ ତିଥିରେ ଅଦିତି ଓ କାଶ୍ୟପ ଋଷିଙ୍କୁ ପିଣ୍ଡ ଦିଅନ୍ତି। ଦ୍ଵିତୀୟରେ ଅମାବାସ୍ୟା ଦିନ କୌଶଲ୍ୟା ଓ ଦଶରଥ ମହାରାଜଙ୍କୁ ପିଣ୍ଡ ଦିଅନ୍ତି। ତୃତୀୟରେ ଶୁକ୍ଳ ପ୍ରତିପଦ ଦିନ ଯଶୋଦା ଓ ନନ୍ଦଙ୍କ ସହ ଦେବକୀ ଓ ବାସୁଦେବ ତଥା କଳିଯୁଗର ମାତା ପିତା ରୂପେ ବିବେଚିତ ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରାଦ୍ଧ ଅର୍ପଣ କରି ପିଣ୍ଡ ଦାନ କରନ୍ତି।

ଘୋଡ ଅଧିବାସ :- ମାର୍ଗଶିର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଶୀତ ପ୍ରକୋପରୁ ଶ୍ରୀଜୀଉ ସମେତ ସମସ୍ତ ଠାକୁର ଠାକୁରାଣୀଙ୍କୁ ରକ୍ଷା କରିବା ପାଇଁ ଘୋଡ (ଶୀତ ବସ୍ତ୍ର ) ଲାଗି ହୋଇଥାଏ।

ପ୍ରାବରଣ ଷଷ୍ଠୀ :-ଶ୍ରୀମନ୍ଦିର ନୀତି  ଅନୁଯାୟୀ ଏହି ପର୍ବ ମାର୍ଗଶିର ମାସ ଶୁକ୍ଳ ଷଷ୍ଠୀ ତିଥିରେ ପାଳିତ ହୋଇଥାଏ।

ପହିଲି ଭୋଗ :-ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପଯ୍ୟନ୍ତ, ଗୋଟିଏ ମାସ କାଳ ଶ୍ରୀମନ୍ଦିରରେ ଏହି ନୀତି ପାଳିତ ହୋଇ ଏକ ନୂଆ ପ୍ରକାର ଭୋଗ ଲାଗିଥାଏ। ପରମ୍ପରା ଅନୁଯାୟୀ ଏହି ଭୋଗ ଗୋପାଳ ବଲ୍ଳଭ ଭୋଗ ସହ ମିଶି କରାଯାଇଥାଏ।

ଆଗାମୀ ଅଧ୍ୟାୟରେ ଜାଣିବା ପୌଷ ମାସ ବିଷୟରେ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।

ଅମୃତ ବିନୟ ବଚନ
କହି ତୋଷିବ ପ୍ରାଣୀ ମନ।
ଏ ଭାବେ ଲଭି କୃଷ୍ଣପାଦ
ହରିବ ବିଷୟl ବିଷାଦ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.