Latest Odisha News

BREAKING NEWS

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ; କହିଲେ ଭାରତ ମାନବିକ ସହାୟତା ଜାରି ରଖିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କୁ ସମବେଦନା ଜଣାଇବା ସହ ଇସ୍ରାଏଲ୍-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର “ସିଦ୍ଧାନ୍ତଗତ ସ୍ଥିତି”କୁ ଦୋହରାଇଛନ୍ତି। ଫୋନ୍ ବାର୍ତ୍ତାଳାପରେ ମୋଦୀ ଆତଙ୍କବାଦ, ହିଂସା ଏବଂ ଏହି ଅଞ୍ଚଳରେ ବିପର୍ଯ୍ୟସ୍ତ ସୁରକ୍ଷା ସ୍ଥିତିକୁ ନେଇ ଗଭୀର ଚିନ୍ତାକୁ ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ କହିଥିଲେ ଯେ ପାଲେଷ୍ଟାଇନବାସୀଙ୍କ ପାଇଁ ନୂଆଦିଲ୍ଲୀ ମାନବିକ ସହାୟତା ପଠାଇବା ଜାରି ରଖିବ। ମୁଁ ପାଲେଷ୍ଟାଇନ୍ କର୍ତ୍ତୃପକ୍ଷର ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ସହ କଥା ହୋଇଛି। ଗାଜାର ଅଲ ଅହଲି ହସ୍ପିଟାଲରେ ସାଧାରଣ ନାଗରିକଙ୍କ ମୃତ୍ୟୁରେ ମୁଁ ସମବେଦନା ଜଣାଉଛି ବୋଲି ମୋଦୀ କହିଛନ୍ତି।

ପାଲେଷ୍ଟାଇନ ବାସୀଙ୍କ ପାଇଁ ମାନବୀୟ ସହାୟତା ପଠାଇବା ଜାରି ରଖିବୁ। ଏହି ଅଞ୍ଚଳରେ ଆତଙ୍କବାଦ, ହିଂସା ଏବଂ ବିପର୍ଯ୍ୟସ୍ତ ସୁରକ୍ଷା ସ୍ଥିତିକୁ ନେଇ ଆମେ ଗଭୀର ଚିନ୍ତା ପ୍ରକଟ କରିଛୁ ବୋଲି ସେ କହିଛନ୍ତି।

ଇସ୍ରାଏଲ-ଫିଲିସ୍ତିନ ପ୍ରସଙ୍ଗରେ ଭାରତର ଦୀର୍ଘ ଦିନର ନୀତିଗତ ଆଭିମୁଖ୍ୟକୁ ଏହି ସମୟରେ ଦୋହରାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗାଜାର ଅଲ ଅହଲି ଆରବ ହସ୍ପିଟାଲରେ ମଙ୍ଗଳବାର ହୋଇଥିବା ବିସ୍ଫୋରଣରେ ପାଖାପାଖି ୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିବା ପରେ ଅନ୍ତର୍ଜାତୀୟ ସ୍ତରରେ ତୀବ୍ର ନିନ୍ଦା କରାଯାଇଛି।

ହସ୍ପିଟାଲରେ ବିସ୍ଫୋରଣ ପାଇଁ ପାଲେଷ୍ଟାଇନ୍ କର୍ତ୍ତୃପକ୍ଷ ଇସ୍ରାଏଲର ବିମାନ ଆକ୍ରମଣକୁ ଦାୟୀ କରିଥିବା ବେଳେ ପାଲେଷ୍ଟାଇନ୍ ଇସଲାମିକ୍ ଜିହାଦ୍ ନାମକ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଗାଜାରୁ ନିକ୍ଷେପ କରାଯାଇଥିବା ଭୁଲ୍ ରକେଟ୍ ଯୋଗୁଁ ଏହା ଘଟିଥିବା ଇସ୍ରାଏଲ୍ କହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଗାଜା ହସ୍ପିଟାଲରେ ହୋଇଥିବା ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଦୁଃଖ ପ୍ରକାଶ କରିବା ସହ ବର୍ତ୍ତମାନ ଚାଲିଥିବା ସଙ୍ଘର୍ଷରେ ସାଧାରଣ ନାଗରିକଙ୍କ ମୃତ୍ୟୁରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଦାୟୀ କରାଯିବା ଉଚିତ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୩ ଦିନି ବିତିଛି। ଆଉ ପ୍ରଥମ ଥର ପାଇଁ ପାଲେଷ୍ଟାଇନର ଶୀର୍ଷ ନେତୃତ୍ବ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି। ହମାସ ପାଲେଷ୍ଟାଇନର ଉତ୍ତରେ ରହିଥିବା ଏକ ଆତଙ୍କୀ ସଂଗଠନ।

Comments are closed.