Latest Odisha News

BREAKING NEWS

ବନ୍ଧୁକ ମୁନରେ ସତ୍ୟପାଠ ଉପରେ ଦସ୍ତଖତ କରାଯାଇଛି-ହୀରାନନ୍ଦାନୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ମହୁଆ

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲା ଏବେ ବିବାଦୀୟ ମୋଡ ନେଇଛି । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ସତ୍ୟପାଠରେ ମହୁଆ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପାଇଁ ଅଦାନୀଙ୍କୁ ଅସ୍ତ୍ର କରିଥିଲେ । ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଉଥିଲେ । ଏହି ମାମଲାରେ ଓଡ଼ିଆ ସାଂସଦଙ୍କ ସମେତ ଅନେକ ରାଜନେତା, ସାମ୍ବାଦିକ ସଂପୃକ୍ତି ଥିବା ଅଭିଯୋଗ ଆସିଥିଲା । ଦର୍ଶନ ହୀରାନନ୍ଦିନୀଙ୍କ ଅଭିଯୋଗ ପରେ ମହୁଆ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବନ୍ଧୁକ ମୁନରେ ହୀରାନନ୍ଦାନୀଙ୍କ ଠାରୁ ଦସ୍ତଖତ ନିଆଯାଇଛି ।

ଟିଏମସି ସାଂସଦ ମହୁଆ କହିଛନ୍ତି, ଏହି ସତ୍ୟପାଠ କୌଣସି ଅଫିସିଆଲ ଲେଟର ପ୍ୟାଡ ବା ନୋଟାରୀ ପାଖରେ ଲେଖାଯାଇନି । ବରଂ ସଫେଦ କାଗଜ ଉପରେ ଲେଖା ଯାଇଛି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଏପରି ପ୍ଲେନ ପେପରରେ କାହିଁକି ସତ୍ୟପାଠ ଲେଖିବେ ? ସେ ଏପରି କରିବେ ଯଦି ତାଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଯାଇ ଦସ୍ତଖତ ନିଆଯାଇଥିବ । ମହୁଆ ଏହି ସତ୍ୟପାଠର ମଜାକ ଉଡାଇ କହିଛନ୍ତି, ଏହି ସତ୍ୟପାଠ ଏପରି ଜଣେ ବ୍ୟକ୍ତି ଲେଖିଛନ୍ତି ଯିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିବାକୁ ଚାହାନ୍ତି ।

ମହୁଆ ଏହି ସତ୍ୟପାଠର ଜବାବ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦେଇଛନ୍ତି । ସେ ଏକ୍ସରେ ଦୁଇ ପୃଷ୍ଠାର ଏକ ବୟାନ ପୋଷ୍ଟ କରିଛନ୍ତି । ଏଥିରେ ୫ଟି ପ୍ରଶ୍ନ ସେ କରିଛନ୍ତି । ଦର୍ଶନ ହୀରାନନ୍ଦାନୀଙ୍କର ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ହୀରାନନ୍ଦାନୀଙ୍କର ସତ୍ୟପାଠ ପ୍ରେସରେ ଲିକ ହୋଇଗଲା । ଏହି ସତ୍ୟପାଠ ପୁଣି ସାଧା କାଗଜରେ । ଏଥିରେ କୌଣସି ଲେଟରହେଡ ନାହିଁ ।

ମହୁଆ ତାଙ୍କ ପ୍ରଶ୍ନରେ କହିଛନ୍ତି, ଦର୍ଶନ ହୀରାନନ୍ଦାନୀଙ୍କୁ ଏ ଯାଏ ସିବିଆଇ ବା କୌଣସି ଯାଞ୍ଚ ଏଜେନ୍ସି ଦ୍ୱାରା ଡକାଯାଇ ନାହିଁ । ତେବେ ସେ ଏହି ସତ୍ୟପାଠ କାହାକୁ ଦେଇଛନ୍ତି ?

୨ୟ ପ୍ରଶ୍ନରେ ସେ କହିଛନ୍ତି,କଣ୍ଟେଣ୍ଟ ସମ୍ପୂର୍ଣ୍ଣ ମଜାକ ଅଟେ । ସେ ପିଏମଓରେ ଏପରି କିଛି ଲୋକଙ୍କ ଜରିଆାରେ ପ୍ରସ୍ତୁତ କରାଯାଇଛି ଯିଏ ବିଜେପିର ଆଇଟି ସେଲର କେହି କ୍ରିଏଟିଭ ରାଇଟର ଭାବେ କାମ କରନ୍ତି ।ଏଥିରେ ସବୁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମୋ ସହ ଯୋଡି ଦିଆଯାଇଛି ।

ପାରାଗ୍ରାଫରେ ୧୨ ଭାଗରେ ଲେଖା ଯାଇଛି, ଦର୍ଶନ ତାଙ୍କର ଦାବି ମାନି ନେଇଥିଲେ କାରଣ ସେ ଚାହୁଁଥିଲେ ମହୁଆ ତାଙ୍କ ଉପରେ ଯେମିତି ନ ରାଗନ୍ତୁ । ଯଦି ଦର୍ଶନ ଏସବୁ କହିବାକୁ ଚାହୁଁଥିଲେ ତେବେ ସେ ପ୍ରେସ କନଫରେନ୍ସ କାହିଁକି କରିଲେ ନାହିଁ ? ଟୁଇଟ ବି କାହିଁକି କଲେନି ? ତାଙ୍କ କମ୍ପାନୀ ଏହି ତଥ୍ୟ ସାମ୍ନାକୁ ଆସି ଦେଇ ପାରିଥାନ୍ତା । ଯଦି ସତରେ ସେ ଏକଥା କହୁଛନ୍ତି ତେବେ ଅଫିସିଆଲି ଏହି ତଥ୍ୟ ସାମ୍ନାକୁ ଆସି କାହିଁକି ଦେଲେନି ?  ଏଥିପାଇଁ ପଛପଟ ଦରଜାର ସହାରା କାହିଁକି ନେଲେ ?

ସୂଚନାଥାଉ କି, ଦର୍ଶନ ହୀରାନନ୍ଦାନୀ ନିଜେ ଏକ ସତ୍ୟପାଠ ଦ୍ୱାରା ଘୋଷଣା କରିଛନ୍ତି ଯେ, ମହୁଆ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରୁଥିବା ଅଭିଯୋଗ ସତ୍ୟ । ମହୁଆ ତାଙ୍କ ସଂସଦ ଆକାଉଣ୍ଟର ଲଗ-ଇନ ଓ ପାସୱର୍ଡ ତାଙ୍କୁ ଦେଇଥିଲେ ଏବଂ ସଂସଦରେ ପଚରା ଯାଉଥିବା ପ୍ରଶ୍ନ ସେ ନିଜେ ଏହି ୱେବସାଇଟରେ ଅପଲୋଡ କରୁଥିଲେ । ହୀରାନନ୍ଦାନୀ କହିଥିଲେ, ମୁଁ ଅଦାନୀ ଗ୍ରୁପକୁ ଟାର୍ଗେଟ କରିବା ପାଇଁ ପ୍ରଶ୍ନ ପଠାଉଥିଲି ।

ସତ୍ୟପାଠରେ ଦର୍ଶନ ହୀରାନନ୍ଦନ ଲେଖିଛନ୍ତି,ମହୁଆ ରାଜନୀତିରେ ସଫଳତା ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବାକୁ ଚାହୁଁଥିଲେ । ସେଥିପାଇଁ ସେ ଅଦାନୀ ଗ୍ରୁପକୁ ଅସ୍ତ୍ର କରିଥିଲେ । ଅଦାନୀଙ୍କ ବିରୋଧରେ ଅଭିଯୋଗ ଆଣିବା ପାଇଁ ସେ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ରହୁଥିଲେ ।
ହୀରାନନ୍ଦାନୀ ଆହୁରି ଲେଖିଛନ୍ତି, ଏହି କାମରେ ମହୁଆଙ୍କୁ ମହୁଆଙ୍କୁ ସୁଚେତା ଦଲାଲ, ସାଦୁର୍ଲ ଶ୍ରଫ୍ ଏବଂ ପଲ୍ଲବୀ ଶ୍ରଫ୍, ବିରୋଧୀ ଦଳ ନେତା ଶଶି ଥରୁର ଏବଂ ପିନାକୀ ମିଶ୍ର ମଧ୍ୟ ସହାୟତା କରୁଥିଲେ। ମହୁଆ ଏହି କାମରେ ବିଦେଶୀ ସାମ୍ବାଦିକଙ୍କ ସହାୟତା ମଧ୍ୟ ନେଉଥିଲେ ।

ତେବେ ମହୁଆଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ ଆଣିବା ପରେ ଏହି ମାମଲା ବଡ଼ ରାଜନୈତିକ ବିବାଦର ରୂପ ନେଇଥିଲା । ଏହାକୁ ଦୃଷ୍ଟିରେ ରଖି ସେ ସତ୍ୟପାଠ ଦାଖଲ କରିବାକୁ ନିଷ୍ପତ୍ତି ନେଲେ। ସେ ୩ ପୃଷ୍ଠାର ସତ୍ୟପାଠରେ ସେ ସ୍ବୀକାର କରିଛନ୍ତି ଯେ ଆଦାନି ଗ୍ରୁପ୍ ସହିତ ବ୍ୟବସାୟିକ ଶତ୍ରୁତା କାରଣରୁ ସେ ଏଭଳି କାର୍ଯ୍ୟରେ ସାମିଲ ହୋଇଥିଲେ ।

Comments are closed.