ଭୁବନେଶ୍ୱର: ରମାଦେବୀରେ ରାଗିଂ ହୋଇଥିବା ଅଭିଯୋଗ ଆସିଛି। ଅଭିଯୋଗ ଆଣିଛନ୍ତି ଯୁକ୍ତ ୨ ହଷ୍ଟେଲ ଛାତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ। ସେପଟେ ଅଭିଯୋଗକୁ ଖଣ୍ଡନ କଲେ ଅଧ୍ୟକ୍ଷା।
ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ରମାଦେବୀ ଜୁନିୟର କଲେଜ ହଷ୍ଟେଲର ୧ ନମ୍ବର ରୁମରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିଲା। ଜାତିଆଣ ମନ୍ତବ୍ୟ, ରୁମରେ ଅଶ୍ଳୀଳ ଭିଡିଓ ଦେଖିବା ଏବଂ ଛୋଟ ଡ୍ରେସ ପିନ୍ଧିବାକୁ ବାଧ୍ୟ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛାତ୍ରୀ। ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବି ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି ଛାତ୍ରୀ। ଏହାପରେ ଗଣଶିକ୍ଷା ବିଭାଗକୁ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ପାଇବା ପରେ ପୁରା ଘଟଣାର ତଦନ୍ତ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛି ଗଣ ଶିକ୍ଷା ବିଭାଗ। ଅନ୍ୟପଟେ ଏହି ଅଭିଯୋଗର ସତ୍ୟତା ନଥିବା କହିଛନ୍ତି ରମାଦେବୀ କଲେଜର ଅଧ୍ୟକ୍ଷ।
Comments are closed.