ନୂଆପଡା: ଭାଇ ଜିଉନ୍ତିଆ ଓଷା। ପଶ୍ଚିମ ଓଡ଼ିଶାର ଏକ ମହାନ ପର୍ବ। ଏହି ପର୍ବ ମାଧ୍ୟମରେ ଭାଇର ମଙ୍ଗଳ ପାଇଁ ଭଉଣୀ ମାନେ ଉପବାସ କରି ମା’ ଦୁର୍ଗାଙ୍କ ଠାରେ ପୂଜାର୍ଚ୍ଚନା କରି ଗୁହାରୀ କରିଥାନ୍ତି। ଭାଇ ଭଉଣୀର ସଂପର୍କ ପବିତ୍ର। ଭାଇ ହେଉଛି ଭଉଣୀର ରକ୍ଷା କବଚ। ବିପଦ ଆପଦରେ ସବୁବେଳେ ଭଉଣୀକୁ ଭାଇ ହିଁ ସାହାଯ୍ୟ କରିଥାଏ। ଏଥିପାଇଁ ଭାଇର ମଙ୍ଗଳ କାମନା ସହ ଦୀର୍ଘଜୀବନ କାମନା ପାଇଁ ଭଉଣୀ ରଖେ ଉପବାସ। ଏହି ପରିପେକ୍ଷୀରେ ପଶ୍ଚିମଓଡିଶାର ପୁରପଲ୍ଲୀରେ ପାଳିତ ହୋଇଛି ଭାଇ ଜିଉନ୍ତିଆ ଓଷା ।
ନୂଆପଡା ଜିଲ୍ଲାରେ ଥିବା ହିନ୍ଦୁ ସମ୍ପ୍ରଦାୟର ଅନେକ ପର୍ବ ମାନଙ୍କ ମଧ୍ୟରୁ ଭାଇ ଜୀଉନ୍ତିଆ ପର୍ବ ଅନ୍ୟତମ । ଭାଇର ମଙ୍ଗଳ ତଥା ଦିର୍ଘାୟୁ କାମନା କରି ଭଉଣୀମାନେ ଏହି ବ୍ରତ କରିଥାନ୍ତି । ପଶ୍ଚିମ ଓଡିଶାରେ ଏହି ବ୍ରତ ପାଳନ ଆଶ୍ୱିନୀ ମାସ ସପ୍ତମୀ ଦିନ ଠାରୁ ଆରମ୍ଭ ହୋଇ ଦଶମୀ ଦିନ ପର୍ଯ୍ୟନ୍ତ ଚାଲିଥାଏ । ବିଶେଷ କରି କୋମନା ଅଞ୍ଚଳର ଦେଓଧରା, ଛତା, ଢୋର୍ଲାମୁଣ୍ଡା, ରଜନା, ନାଗପଡା, ଝରଣାମାଲ, ସିର୍ଲି ଅଞ୍ଚଳରେ ଦଶମୀ ଦିନ ଏହି ଓଷା ପାଳିତ ହୋଇଥାଏ । ଦେବୀ ଦୁର୍ଗାଙ୍କ ସପ୍ତମୀ ପୂଜା ପରେ ପରେ ନୂଆପଡା ର ଭଉଣୀମାନେ ଭାଇ ଜୀଉନ୍ତିଆ ବ୍ରତ କରିଥାନ୍ତି । ଦିନ ସାରା ନିର୍ଜଳା ଉପବାସ ରହି ସଂଧ୍ୟାରେ ୭ ପ୍ରକାର ଫୁଲ, ୭ଟି ଜୁଗାର କରି ଧୂପଦୀପ ନୈବେଦ୍ୟ ଦେଇ ଦେବୀ ଦୁର୍ଗାଙ୍କୁ ପୂଜା କରିଥାନ୍ତି । ଭାଇଙ୍କ ମଙ୍ଗଳ ମନାସି ୧୦୮ ଦୁବ ଓ ଅକ୍ଷତ ଅରୁଆ ଚାଉଳକୁ ଏକାଠି କରି ଜୀଉନ୍ତିଆରେ ବାନ୍ଧି ଦେବୀଙ୍କ ପାଖରେ ସମର୍ପଣ କରିଥାନ୍ତି । ଏବଂ ତା ପର ଦିନ ସକାଳେ ବନ୍ଧା ହୋଇଥିବା ଦୁବକୁ ନେଇ ଭାଇକୁ ବନ୍ଦାଇବାର ପରମ୍ପରା ରହିଛି । ଏହି ଓଷା ପାଳନ ବେଳେ ହେଉଥିବା ଡାଲଖାଇ ନୃତ୍ୟ ବା ଡାଲଖାଇ ପର୍ବ ସବୁଠାରୁ ନିଆରା । ଜୀଉନ୍ତିଆ ଓଷା ସହ ଡାଲଖାଇ ପାଳନ କରିବା ପରମ୍ପରା ଖୁବ୍ ପ୍ରାଚୀନ ବୋଲି ମତ ଦିଅନ୍ତି ସ୍ଥାନୀୟ ବ୍ରତଧାରୀଙ୍କ ସହ ଅଞ୍ଚଳବାସୀ ।
ସାରା ପଶ୍ଚିମ ଓଡିଶାରେ ପାଳନ କରା ଯାଇଥାଏ ଏହି ଭାଇ ଜୀଉନ୍ତିଆ ବ୍ରତ । ଭାଇର ଶୁଭମନାସୀ ଭଉଣୀ କରୁଥିବା ଏହି ଓଷାକୁ ନୂଆପଡାର ଏକ ନିଆରା ପରମ୍ପରା । ନିର୍ଜଳା ଉପବାସ ଦିନ ଭଉଣୀ ମାନେ ମନ ରେ ଅନ୍ୟ ଧାରଣା ଯେମିତି ନ ଆସିବ ଓ ମାଁ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଦିନ ରାତି ଢୋଲ, ନିଶାନ ତାସା ଓ ମହୁରୀ ର ତାଳେତାଳେ ନାଚି ମଜା କରିଥାନ୍ତି । ପରେ ମାଁ ଙ୍କୁ ପୁଜା ପାଠ କରି ଭାଇଙ୍କ ଦୀର୍ଘାୟୁ କାମନା କରି ହାତରେ ଜୀଉନ୍ତିଆ ବାନ୍ଧି ବ୍ରତ ଭାଙ୍ଗୁଥିବା ବ୍ରତ ଧାରୀ ମାନେ କହିଛନ୍ତି । ଓଡିଶା ର ବିଭିନ୍ନ ଅଞ୍ଚଳରେ ଏହି ଓଷା ହେଉଥିଲେ ହେଁ ନୂଆପଡା ଜିଲ୍ଲା ରେ ହେଉଥିବା ଭାଇ ଜୀଉନ୍ତିଆ ଓ ଡାଲଖାଇ ପର୍ବ ନିଶ୍ଚିତ ସ୍ୱତନ୍ତ୍ର ।
Comments are closed.